ରାଉରକେଲା: ବଣଜଙ୍ଗଲଘେରା ସୁନ୍ଦରଗଡ଼ରେ ବର୍ଷ ତମାମ ଲାଗି ରହୁଛି ହାତୀ-ମଣିଷ ଲଢ଼େଇ। ଅସୁରକ୍ଷିତ ଜଙ୍ଗଲ, ଟ୍ରେନ୍ ଧକ୍କା, ବିଦ୍ୟୁତ୍ ଆଘାତ, ଖାତରେ ପଡ଼ିଯିବା ଆଦି ବିଭିନ୍ନ କାରଣରୁ ହାତୀଙ୍କ ଜୀବନ ଯାଉଛି। ଏମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ହେଉଛି। ହେଲେ ଉପଯୁକ୍ତ ପରିଚାଳନା ଅଭାବରୁ ଦିନକୁଦିନ ହାତୀ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଯାହା ଉଭୟ ସରକାର ଓ ବନବିଭାଗର ଚିନ୍ତା ବଢ଼ାଇଛି। ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ବଣାଇ ଓ ରାଉରକେଲା ଆଦି ତିନି ବନଖଣ୍ଡର ମୋଟ ୧୯ଟି ରେଞ୍ଜରେ ଗତ ୨୦୨୪ ଶେଷ ସୁଦ୍ଧା ମୋଟ ୧୯୨ ପୁରୁଷ, ମାଈ ଓ ଛୁଆ ହାତୀ ରହୁଛନ୍ତି। ୨୦୧୯ରୁ ୨୦୨୪, ଗତ ୫ ବର୍ଷ ମଧ୍ୟରେ ମୋଟ ୩୭ ହାତୀଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇମାସରୁ କମ୍ ସମୟରେ ଗୋଟିଏ ଲେଖାଏଁ ହାତୀ ଜୀବନ ହାରୁଛନ୍ତି।
ବଣାଇ ବନଖଣ୍ଡରେ ସର୍ବାଧିକ ୧୮ ହାତୀଙ୍କର ମୃତ୍ୟୁ ହୋଇଛି। ରାଉରକେଲାରେ ୧୬ ଓ ସୁନ୍ଦରଗଡ଼ରେ ୩ ହାତୀ ମରିଛନ୍ତି। ରାଉରକେଲା ବନଖଣ୍ଡର ବିଶ୍ରା ରେଞ୍ଜ ଅନ୍ତର୍ଗତ ମଣିପାଣି ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରେ ପଡ଼ିଯିବାରୁ ଗତ ୨୦୧୯ ଫେବ୍ରୁଆରିରେ ଗୋଟିଏ ଛୁଆହାତୀର ମୃତ୍ୟୁ ହୋଇଥିଲା। ଏମିତି ଭାବେ ୨୦୧୯ରେ ରାଉରକେଲା ବନଖଣ୍ଡ ବିଶ୍ରା ରେଞ୍ଜରେ ୨ଟି, ବାଙ୍କି ଓ ପାନପୋଷ ରେଞ୍ଜରେ ଗୋଟିଏ ଲେଖାଏଁ ହାତୀର ମୃତ୍ୟୁ ହୋଇଛି। ୨୦୨୦ରେ ବିଶ୍ରା ରେଞ୍ଜ ଅନ୍ତର୍ଗତ ଖଇରିଟୋଲା, କୁଆରମୁଣ୍ଡା ରେଞ୍ଜ କଲୁଙ୍ଗାର ସାନଡଡାକୁଦରରେ ଗୋଟିଏ ଲେଖାଏଁ ହାତୀର ମୃତ୍ୟୁ ହୋଇଥିଲା। ୨୦୨୧ ବିଶ୍ରା ରେଞ୍ଜ ଅନ୍ତର୍ଗତ ମହିମାଣି ନିକଟରେ ଟ୍ରେନ ଧକ୍କାରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ହାତୀର ମୃତ୍ୟ ହୋଇଥିଲା।
୨୦୨୨ରେ ବାଙ୍କି ରେଞ୍ଜରେ ଦୁଇଟି ଓ କୁଆରମୁଣ୍ଡା ରେଞ୍ଜରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ୨୦୨୪ରେ ପାନପୋଷ ରେଞ୍ଜରେ ସର୍ବାଧିକ ୩ଟି ଓ ବାଙ୍କି ରେଞ୍ଜରେ ଗୋଟିଏ ଏମିତି ମୋଟ ୪ଟି ହାତୀର ଜୀବନ ଯାଇଛି। ଗତ ୨୦୨୪ ଅକ୍ଟୋବର ୧୪ରେ ରେଳଲାଇନ ପାରି ହେଉଥିବାବେଳେ ବନ୍ଧମୁଣ୍ଡା ଓ କୁର୍ଡା ରେଳଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଏକ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିଲା। ବଣାଇ ବନଖଣ୍ଡରେ ଗତ ୫ ବର୍ଷରେ ମୃତ୍ୟୁ ହୋଇଥିବା ୧୮ ହାତୀଙ୍କ ମଧ୍ୟରୁ କେବଳ କୋଇଡ଼ା ରେଞ୍ଜରେ ୭, ଟାମରା ରେଞ୍ଜରେ ୩, ଜର୍ଡ଼ା ରେଞ୍ଜରେ ୫, ବରସୁଆଁ ରେଞ୍ଜରେ ୨ଟି ଓ ବଣାଇରେ ଗୋଟିଏ ହାତୀର ଜୀବନ ଯାଇଛି। ସୁନ୍ଦରଗଡ଼ରେ ୨୦୨୦ରେ ହେମଗିରି ରେଞ୍ଜରେ ଦୁଇଟି ଓ ୨୦୨୨ରେ ଉଜ୍ଜଳପୁର ରେଞ୍ଜରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି।