୫ ଲୋକସଭା ଓ ୩୫ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ଜାରି; ୩୭୦୧ ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା

ଭୁବନେଶ୍ୱର: ଆରମ୍ଭ ହୋଇଛି ୫ ଲୋକସଭା ଓ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ । ଅଳ୍ପ କିଛି ବୁଥକୁ ଛାଡ଼ି ଦେଲେ ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ସକାଳ ୭ଟାରୁ ଚାଲିଛି। ଗତକାଲି ସୁଦ୍ଧା  ରାଜ୍ୟର  ୯୧୧୭ଟି  ପୋଲିଂ ଷ୍ଟେସନରେ ପୋଲିଂ କର୍ମଚାରୀ ପହଞ୍ଚି ସାରିଥିଲେ।  ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଲାଗି ୬୦,୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଆଜି ୩୭୦୧ ସମ୍ବେଦନଶୀଳ ବୁଥରେ ଚାଲିଛି ମତଦାନ । ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି  କରାଯାଇଛି । ୭୩୯ଟି ବୁଥରେ ସିଏପିଏଫ୍ ନିୟୋଜିତ .ହୋଇଛନ୍ତି । ସେହିଭଳି ୬୨୩ ବୁଥରେ ସିସିସିଟିଭି ଲାଗିଛି । ୮୯୨ ମାଇକ୍ରୋ ଅବଜର୍ଭର ନିୟୋଜିତ ରହିଛନ୍ତି । ଅନ୍ୟପଟେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ୧୬ ହଜାର ୮୮୨ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସହ ଏହା ଅଧୀନସ୍ଥ ୩୫ ଗୋଟି ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୩୫ ଜଣ ସାଂସଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଜାତୀୟ ଦଳର, ୫ ଜଣ ରାଜ୍ୟସ୍ତରୀୟ ଦଳର, ୯ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୭ ଜଣ ଜାତୀୟ ଦଳର, ୩୫ ଜଣ ରାଜ୍ୟସ୍ତରୀୟ ଦଳ, ୪୨ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭୦ ଜଣ ସ୍ୱାଧୀନ ପ୍ରାର୍ଥୀ  ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯ ହଜାର ୧୧୭ ବୁଥରେ ୩୯ ଲକ୍ଷ ୪୫ ହଜାର ୦୨୫ ପୁରୁଷ ଭୋଟର, ୩୭ ଲକ୍ଷ ୪୭ ହଜାର ୪୯୩ ମହିଳା ଭୋଟର ଓ ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ସମ୍ବନ୍ଧିତ ଖବର