ଗୋଟିଏ ଦିନରେ ୩୮୬ଟି ନୂଆ କରୋନା ସଂକ୍ରମଣ ମାମଲା, ତାବଲିଗି ଜମାତକୁ ଦାୟୀ କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୬ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି ଓ ମୃତ୍ୟୁସଂଖ୍ୟା ୩୮ ରହିଛି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ତାବଲିଗିି ଜମାତ ସମ୍ମିଳନୀରେ ଯୋଗଦେଇଥିବା ଲୋକମାନେ ସଂକ୍ରମିତ ହୋଇଥିବାରୁ ସାରା ଦେଶରେ ସଂକ୍ରମଣ ସଂଖ୍ୟା ବଢିଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ତାବଲିଗିି ଜମାତ ସହ ସଂପର୍କିତ ପ୍ରାୟ ୧୮୦୦ ଜଣ ଲୋକଙ୍କୁ ବିଭିନ୍ନ ହସପିଟାଲ ଓ କ୍ୱାରାଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ଲକଡାଉନ ସମୟରେ ଏହି ସମ୍ମିଳନୀକୁ ରୋକାଯାଇପାରିଥାନ୍ତା ।
ସେ କହିଛନ୍ତି ଯେ, ରେଳବାଇ ପକ୍ଷରୁ ୨୦ ହଜାର ରେଳଡବାରେ ପ୍ରାୟ ୩.୨ ଲକ୍ଷ କ୍ୱାରାଣ୍ଟାଇନ ବେଡ ପ୍ରସ୍ତୁତ କରାଯାଇଛି । ଆଉ ୫ ହଜାର ରେଳଡବାକୁ ଏଥିପାଇଁ ପ୍ରସ୍ତୁତ କରାଯାଉଛି । ଅନ୍ୟପକ୍ଷରେ ବିମାନ ମାଧ୍ୟମରେ ଜରୁରୀ ଡାକ୍ତରୀ ସାମଗ୍ରୀ ଯଥା ଔଷଧ, ମାସ୍କ, ଟେଷ୍ଟିଂ କିଟ ଆଦିର ପରିବହନ କରାଯାଉଛି ।
ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୦ ହଜାର ପରୀକ୍ଷା କରାଯାଇସାରିଲାଣି ଓ ତାମଧ୍ୟରୁ ୮୬୧ଟି ପରୀକ୍ଷା ଘରୋଇ ଲାବରେ କରାଯାଇଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର