ନୂଆଦିଲ୍ଲୀ: ଖେଳୁ ଖେଳୁ ଆସିଲା ମୃତ୍ୟୁ | ସାମାନ୍ୟ ଅସାବଧାନତା ୪ ଶିଶୁଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେଇଛି | ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଶ୍ୱାସରୁଦ୍ଧ ହୋଇ ଚାରି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସମସ୍ତ ପିଲା ଗାଡ଼ି ଭିତରେ ଫସି ରହିଥିଲେ ଏବଂ ଗାଡ଼ିଟି ଭିତରୁ ବନ୍ଦ ଥିଲା। କାରର ଝରକା ବନ୍ଦ ଥିଲା, ଯାହା ଯୋଗୁଁ ପିଲାମାନେ ନିଶ୍ୱାସ ନେଇପାରିଲେ ନାହିଁ ଏବଂ ସେମାନେ କାର ଭିତରେ ହିଁ ମୃତ୍ୟୁବରଣ କଲେ। ଏହି ଘଟଣା ବିଜୟନଗରମର ଦ୍ୱାରପୁରୀ ଗାଁରେ ଘଟିଛି ।
ରିପୋର୍ଟ ଅନୁସାରେ, ରବିବାର ସକାଳେ ପିଲାମାନେ ଖେଳିବା ପାଇଁ ଘରୁ ବାହାରିଥିଲେ। ପିଲାମାନେ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ସମସ୍ତଙ୍କ ମୃତଦେହ ଏକ କାର ଭିତରେ ମିଳିଥିଲା। ତଦନ୍ତରୁ ଜଣାପଡିଲା ଯେ କାରଟି ଗାଁର ମହିଳା ସମ୍ପ୍ରଦାୟ କେନ୍ଦ୍ରର ପାର୍କିଂ ସ୍ଥାନରେ ରଖାଯାଇଥିଲା। ପିଲାମାନେ ଖେଳୁଥିବା ସମୟରେ ଗାଡ଼ିରେ ବସିଥିଲେ ଏବଂ ଗାଡ଼ିର କବାଟ ହଠାତ୍ ବନ୍ଦ ହୋଇଯାଇଥିଲା । କାରର ସମସ୍ତ ଝରକା ମଧ୍ୟ ବନ୍ଦ ଥିଲା। ଏପରି ପରିସ୍ଥିତିରେ, ପିଲାମାନଙ୍କୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିଲା ନାହିଁ, ଯାହା ଫଳରେ ସେମାନଙ୍କର ମୃତ୍ୟୁ ହେଲା।
ଏହି ଘଟଣାରେ ମୃତ୍ୟୁବରଣ କରିଥିବା ପିଲାମାନେ ହେଉଛନ୍ତି ୮ ବର୍ଷର ଉଦୟ, ୮ ବର୍ଷର ଚାରୁମତୀ, ୬ ବର୍ଷର କରିଶ୍ମା ଏବଂ ମନସ୍ୱିନୀ। ପିଲାମାନଙ୍କ ମୃତ୍ୟୁ ଯୋଗୁଁ ସମଗ୍ର ଗାଁରେ ଶୋକର ଲହରୀ ଖେଳିଯାଇଛି | ସ୍ଥାନୀୟ ଗ୍ରାମବାସୀଙ୍କ କହିବା ମୁତାବକ ସମସ୍ତ ପିଲାମାନେ ଗାଁରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ। ଘଟଣାସ୍ଥଳରେ ମୋଟ ୯ ଜଣ ପିଲା ଖେଳୁଥିଲେ। ତେବେ ଖେଳୁଥିବା ସମୟରେ, ଏହି ଚାରି ଜଣ ପିଲା ଗାଡ଼ିରେ ବସିଗଲେ ଏବଂ କବାଟ ବନ୍ଦ ହୋଇଯାଇଥିଲା | ପିଲାମାନେ ଶ୍ବାସରୁଦ୍ଧ ହୋଇ ଜୀବନ ହାରିଦେଇଛନ୍ତି | ତେବେ ଗାଡି ମାଲିକ କିଏ ସେନେଇ କୌଣସି ସୂଚନା ମିଳିନାହିଁ | ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି |