ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାଠାରେ ଜଣେ ଶିକ୍ଷୟତ୍ରୀଙ୍କୁ ବ୍ଲାକମେଲ କରିବା ମାମଲା ସାମ୍ନାକୁ ଆସିଛି। ଟିଉସନ ପାଇଁ ଶିକ୍ଷୟତ୍ରୀଙ୍କ ଘରକୁ ଆସିଥିବା ଛାତ୍ରମାନେ ଏହି କାରନାମାରେ ସମ୍ପୃକ୍ତ ଥିବାର ଜଣାପଡିବା ପରେ ଚର୍ଚ୍ଚା ଜୋର ଧରିଛି | ଏହି ଉଦ୍ଧତ ଛାତ୍ରମାନେ ଶିକ୍ଷୟତ୍ରୀ ଜଣକ ଗାଧୋଇବା ସମୟରେ ଗୁପ୍ତରେ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। କଥା ଏତିକିରେ ଅଟକି ନଥିଲା, ଛାତ୍ରମାନେ ଭିଡିଓ ଦେଖାଇ ଶିକ୍ଷୟତ୍ରୀଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ।
ଛାତ୍ରମାନେ ଶାରୀରିକ ସମ୍ପର୍କ ରଖିବାକୁ ଶିକ୍ଷୟତ୍ରୀଙ୍କ ଉପରେ ଚାପ ପକାଇଥିଲେ | ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶିକ୍ଷୟତ୍ରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଛାତ୍ରଙ୍କୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ଶିକ୍ଷୟତ୍ରୀ ଜଣକ ଆଗ୍ରାସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ |
ଦଶମ ଶ୍ରେଣୀର କିଛି ଛାତ୍ର, ଯେଉଁମାନେ ଟିଉସନ ପାଇଁ ଶିକ୍ଷୟତ୍ରୀଙ୍କ ଘରକୁ ଆସୁଥିଲେ, ସେମାନେ ଗାଧୋଇବା ସମୟରେ ଶିକ୍ଷୟତ୍ରୀଙ୍କ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଶିକ୍ଷୟତ୍ରୀଙ୍କ ଉପରେ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇବା ଆରମ୍ଭ କରିଥିଲେ।
ଯେତେବେଳେ ଶିକ୍ଷୟତ୍ରୀ ମନା କରିଦେଲେ, ସେମାନେ ଇନଷ୍ଟାଗ୍ରାମରେ ଏକ ପେଜ ତିଆରି କରି ଭିଡିଓ ସେୟାର କରିଥିଲେ। ମିଶନ୍ ଶକ୍ତି ନାମକ ଏକ ସଂସ୍ଥା ପୀଡିତା ଶିକ୍ଷକଙ୍କ ସହ ଯୋଗାଯୋଗ କରିଥିଲା। ଘଟଣା ସାମ୍ନାକୁ ଆସିବା ମାତ୍ରେ ପୁଲିସ ତଦନ୍ତ ଆରମ୍ଭ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।