ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ଏହାକୁ ମିଶାଇ ଭାରତର ମୋଟ ସଂକ୍ରମିତ ସଂଖ୍ୟା ୨୫୪୭ରେ ପହଞ୍ଚିଛି । ଏହା ମଧ୍ୟରୁ ୨୩୨୨ଟି ସକ୍ରିୟ ମାମଲା ଓ ୬୨ ଟି ମୃତ୍ୟୁ ହୋଇଥିବାବେଳେ ୧୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଭାରତରେ ଗତ କିଛିଦିନ ଧରି ବଢିଚାଲିଥିବା କରୋନା ସଂକ୍ରମଣମାମଲା ପାଇଁ ତବଲିକ ଜମାତ ଦ୍ୱାରା ଆୟୋଜିତ ସମ୍ମିଳନୀକୁ ଦାୟୀ କରାଯାଉଛି । କାରଣ ଅଧିକାଂଶ ନୂଆ ମାମଲା ଏହି ସମ୍ମିଳନୀ ସହ ସଂପୃକ୍ତ ଲୋକମାନଙ୍କଠାରେ ଦେଖାଯାଉଛି ।ଏହି କାରଣରୁ ତାମିଲନାଡୁ ଓ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ତାମିଲନାଡ଼ୁରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୨ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । ସେହିପରି ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି । ଏହା ଫଳରେ ଦିଲ୍ଲୀ ଦେଶରେ ୨ୟ ସ୍ଥାନରେ ପହଞ୍ଚିଛି ।
ସମଗ୍ର ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୫୫ ହଜାର ଟପିଯାଇଛି ।