ରାଉରକେଲା/ହାତୀବାରି,୭/୧୦(ଇମିସ): ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ପଶି ଆସବାବପତ୍ର ପୋଡ଼ିବା ସହ କମ୍ପ୍ୟୁଟର ମନିଟର ଓ ମୋବାଇଲ ଚୋରି ଘଟଣାରେ ହାତୀବାରି ପୁଲିସ ୫ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାପାଣି ଚାର ବ୍ୟାରେକ୍‌ର ସୋନୁ ବାଘେଲ (୩୬) ଓ ବିକାଶ ଲାଖୁଆ (୨୮), ଭୋଜପୁରର ମୁନା ବଡାଇକ (୨୭), ଶୁଖୁ ରାମ (୩୩) ଓ ବୁଧୁ  ରାମ (୧୯)।

Advertisment

ପୁରୁଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନାରାଣୀ ପଟେଲଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତ ସେପ୍ଟେମ୍ବର ୨୨ରେ ବିଦ୍ୟାଳୟ ବନ୍ଦ ହେବା ପରେ ଲଟୁ ସିଂ ଓ ପାଖରେ ଥିବା ଡିଗ୍ରୀ କଲେଜର ମନୋଜ ଝରା  ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜଗୁଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବିଦ୍ୟାଳୟ ଭିତରକୁ ପଶିଥିଲେ। କମ୍ପ୍ୟୁଟର ୬ଟି ସିପିୟୁ ଓ ଲଟୁ ସିଂର ମୋବାଇଲ ଲୁଟି ନେଇଥିଲେ। ବିଦ୍ୟାଳୟରେ ‌୪ଟି ବେଞ୍ଚ, ଡେସ୍କ, କାଠ ଆଲମିରା ଓ ଅନ୍ୟାନ୍ୟ ଆସବାବପତ୍ରରେ ନିଆଁ ଲଗାଇଦେଇଥିଲେ। ଦୁଇ ଜଗୁଆଳିଙ୍କୁ ଧମକଚମକ ଦେଇ ଗୋଟିଏ ଜାଗାରେ ବସାଇବା ପରେ ଏଭଳି କାଣ୍ଡ ଭିଆଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଲିଖିତ ଅଭିଯୋଗରେ ହାତୀବାରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।