ନୂଆଦିଲ୍ଲୀ: ଶନିବାର ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଘୋଡାଝରୀ ହ୍ରଦରେ ପିକନିକ୍ କରିବା ସମୟରେ ପାଞ୍ଚ ଜଣ ଲୋକ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୋଲିସ ଏହି ସୂଚନା ଦେଇଛି।
ପୋଲିସର କହିବା ଅନୁଯାୟୀ, ନାଗଭିଡ ତହସିଲରେ ଥିବା ହ୍ରଦର ଗଭୀର ଜଳରାଶିକୁ ଭୁଲବଶତଃ ଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ କହିଛି ଯେ ୬ ଜଣ ପିକନିକ କରିବାକୁ ଆସିଥିଲେ | ଭୋଜି କରିବା ପରେ ୬ ଜଣ ହ୍ରଦ ଭିତରକୁ ଗାଧୋଇବାକୁ ଯାଇଥିଲେ | ତେବେ ଗଭୀର ଜଳରାଶିରେ ୫ ଜଣ ବୁଡିଯାଇଥିଲେ | ଯେତେବେଳେ ଜଣେ ବ୍ୟକ୍ତି କୌଣସି ପ୍ରକାରେ ପହଁରି ପଳାଇଆସିବାରେ ସଫଳ ହୋଇଥିଲେ ଏବଂ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ଡାକିଥିଲେ , ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୋଲିସ କହିଛି ଯେ, ଏହାପରେ ଦମକଳ ବାହିନୀ ହ୍ରଦରେ ଖୋଜାଖୋଜି କରିଥିଲା | ଆଉ ଜନକ କିଶୋର ଗାଭାଣ୍ଡେ (୨୪), ତାଙ୍କ ଭାଇ ଯଶ (୨୩), ଅନିକେତ ଯଶୱନ୍ତ ଗାଭାଣ୍ଡେ (୨୮), ତେଜସ ବାଲାଜୀ ଗାଭାଣ୍ଡେ (୨୪) ଏବଂ ତେଜସ ସଞ୍ଜୟ ଠାକରେ (୧୬)ଙ୍କ ମୃତଦେହ ହ୍ରଦରୁ ବାହାର କରାଯାଇଥିଲା।
ସେହିପରି ଗତକାଲି ମହାରାଷ୍ଟ୍ରର ଥାନେ ଜିଲ୍ଲାର ବଦଲାପୁର ଅଞ୍ଚଳରେ ଉଲ୍ଲାସ ନଦୀରେ ବୁଡ଼ି ଯିବାରୁ ଚାରି ଜଣ କିଶୋରଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ୧୫-୧୬ ବର୍ଷ ବୟସର କିଶୋରମାନେ ହୋଲି ପାଳନ କରିବା ପରେ ଗାଧୋଇବା ପାଇଁ ନଦୀରେ ପ୍ରବେଶ କରିଥିଲେ ଏବଂ ହଠାତ୍ ଜଳସ୍ତର ବୃଦ୍ଧି ପାଇବାରୁ ସେମାନେ ଭାସି ଯାଇଥିଲେ। ସମସ୍ତ ଚାରି ଜଣ ଛାତ୍ର ଦଶମ ଶ୍ରେଣୀର ଥିଲେ।