ଭଦ୍ରକରୁ ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ପୌରାଞ୍ଚଳରୁ ୫ ଜଣ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ବାସୁଦେବପୁର ପୌରାଞ୍ଚଳର ପରିସର ମଧ୍ୟରୁ ୫ ଜଣ ବୋଲି ଜଣାପଡ଼ିଛି । ଏମାନେ ସବୁ ସୁରତରୁ ନିକଟରେ ଫେରିଥିଲେ । ପୌରାଞ୍ଚଳର ୱାର୍ଡ ନଂ ୧୧ରୁ ଜଣେ ଓ ୱାର୍ଡ ନଂ ୧୯ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ତେବେ ଜିଲ୍ଲାର ଆଉ ଜଣେ ଆକ୍ରାନ୍ତ କେଉଁ ଅଂଚଳର ତାହା ସ୍ପଷ୍ଟ ହୋଇପାରି ନାହିଁ ।

 

ପୂର୍ବରୁ ବାସୁଦେବପୁର ବ୍ଲକରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୫ ଜଣକୁ ମିଶାଇ ମୋଟ ଏହି ବ୍ଲକରେ ୧୬ ଜଣ ଚିହ୍ନଟ ହୋଇସାରିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ଗତକାଲି ପର୍ଯ୍ୟନ୍ତ ମୋଟ ୨୫ ଜଣ ଆକ୍ରାନ୍ତ ଥିବା ବେଳେ ଆଜି ଏହି ସଂଖ୍ୟା ୩୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ଥିବା ବେଳେ ଅନ୍ୟ ୧୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ବାସୁଦେବପୁର ପୌରାଞ୍ଚଳର ୧୧ଓ ୧୯ ନମ୍ବର ୱାର୍ଡକୁ ସିଲ କରାଯାଇଥିବା ବେଳେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ସଂଗରୋଧ କେନ୍ଦ୍ରରୁ ୫ ଜଣ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ସମ୍ବନ୍ଧିତ ଖବର