ବଲାଙ୍ଗୀର ଓ ସୋନପୁର ମୁଖ୍ୟଡାକ୍ତରଖାନା ଗସ୍ତ କରି ଚିକିତ୍ସା ବ୍ୟବସ୍ଥା ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ବର: ଗୁରୁବାର ୫-ଟି ସଚିବ ଭି.କେ.ପାଣ୍ଡିୟାନ୍ ବଲାଙ୍ଗୀର ଓ ସୋନପୁର ମୁଖ୍ୟଡାକ୍ତରଖାନା ଗସ୍ତ କରି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ଆଜି ବଲାଙ୍ଗିର ମୁଖ୍ୟଡାକ୍ତରଖାନା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ସେ । ଏଠାରେ ସେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଓ ରୋଗୀଙ୍କ ଭଲମନ୍ଦ ବୁଝିଥିଲେ । ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ବି ସେ ପଚାରି ବୁଝିଥିଲେ । ରୋଗୀଙ୍କ ଅଭିଯୋଗର ଖୁବଶୀଘ୍ର ସମାଧାନ ହେବ ବୋଲି ୫ଟି-ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ୫-ଟି ସଚିବ ସୋନପୁର ମୁଖ୍ୟଡାକ୍ତରଖାନାକୁ ଯାଇଥିଲେ । ଏଠାରେ ସେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଉଲ୍ଲେଖ ଥାଉ କି, ଗତକାଲି ମଧ୍ୟ ଭୋର ପାଖାପାଖି ୫ଟା ବେଳେ କଟକ ବଡମେଡିକାଲରେ ପହଞ୍ଚି ଯାଇଥିଲେ ‘୫-ଟି’ ସଚିବ ଓ ତାଙ୍କ ପୂରା ଟିମ୍ ଆଉ ଗତକାଲିର ଏହି ଯାଞ୍ଚରେ କିନ୍ତୁ ସଚିବ ଓ ଅଧିକାରୀମାନେ ୱାର୍ଡ ନ ବୁଲି ଭିତ୍ତିଭୂମିର ସମୀକ୍ଷାକୁ ଗୁରୁତ୍ବ ଦେଇଥିଲେ। ଅଧିକାରୀମାନଙ୍କ ସହିତ ରୁଦ୍ଧଦ୍ବାର ବୈଠକ କରି କଟକ ବଡ଼ ମେଡିକାଲର ବିକାଶ ସଂପର୍କରେ ଆଲୋଚନା କରିଥିଲେ।

ଗତକାଲି ସଚିବ ଓ ଅଧିକାରୀମାନେ ସିଧାସଲଖ ଭିତ୍ତିଭୂମିର ବିକାଶ ସମ୍ଭାବନାକୁ ନେଇ କାଠଯୋଡ଼ି ରିଂ ବନ୍ଧଠାରୁ ଆରମ୍ଭ କରି ଯୋବ୍ରା ଅଞ୍ଚଳ ଏବଂ ଏସ୍ସିବିକୁ ସଂଲଗ୍ନ କରୁଥିବା ବିଭିନ୍ନ ରାସ୍ତା ବୁଲି ଦେଖିଥିଲେ। ତା’ ସହିତ ଏସସିବି ଖେଳପଡ଼ିଆ, ପିଜି ହଷ୍ଟେଲ ପାଖ ଅଂଚଳ ବୁଲି ଦେଖିଥିଲେ। ଏସସିବିକୁ ୪ ଥାକିଆ ରାସ୍ତା ସହ କିପରି ଏହାର ଭିତ୍ତିଭୂମିର ବିକାଶ କରାଯିବ ସେ ସଂପର୍କରେ ୫-ଟି ସଚିବ ଭି. କେ ପାଣ୍ଡିୟାନ୍, ସ୍ବାସ୍ଥ୍ୟ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା, ଏନ୍ଆରଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ବିଭାଗ ସଚିବ ଡକ୍ଟର କ୍ରିଷନ୍ କୁମାର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର