ଭାରତରେ କରୋନା ଜନିତ ୫ମ ମୃତ୍ୟୁ, ମହାରାଷ୍ଟ୍ରର ୪ ସହରକୁ ସଂପୂର୍ଣ୍ଣ ବନ୍ଦ କରାଗଲା

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଶୁକ୍ରବାରସୁଦ୍ଧା ଏହା ୨୦୬ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ରାଜସ୍ଥାନର ଜୟପୁରର ଫୋର୍ଟିସ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୭୨ ବର୍ଷୀୟ ଇଟାଲୀ ନାଗରିକଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ କରୋନା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ପୁଣି ଥରେ ସେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛନ୍ତି ।

 

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ସାରା ଦେଶରେ ସର୍ବାଧିକ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ମୁମ୍ବଇ, ପୁନେ, ନାଗପୁର ଓ ପମ୍ପରି ଛିନ୍ଦଓ୍ଵାଡ ସହରରେ ବାଧ୍ୟତାମୂଳକଭାବେ ସବୁ ଅଫିସ, ଦୋକାନ,ମଲ ଆଦିକୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଯଥା ଔଷଧ ଦୋକାନ, ପରିବା ଓ ତେଜରାତି ଦୋକାନ ଆଦି ଖୋଲା ରହିବ ।

ତେବେ ସରକାରୀ ଅଫିସରେ ୨୫ ପ୍ରତିଶତ ଉପସ୍ଥାନ ରହିବ । କାରଣ ସରକାରୀ କର୍ମଚାରୀମାନେ କରୋନା ଭାଇରସ ଲଢେଇରେ ସାମିଲ ଅଛନ୍ତି । ଆହୁରି ମଧ୍ୟ ବସ୍‌ ଓ ଟ୍ରେନ ଗୁଡ଼ିକ ମୁମ୍ବାଇର ଜୀବନଧାରା ହୋଇଥିବାରୁ ସେଗୁଡ଼ିକ ଚାଲୁ ରହିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର