ବଣାଇଗଡ଼: ଦୀର୍ଘଦିନ ଧରି ବଣାଇ ବନଖଣ୍ଡ ଅଞ୍ଚଳରେ ସକ୍ରିୟ ଥିବା ଶିକାରୀଙ୍କ ଉପରେ ଟ୍ରାକିଂ ଜାରିରଖି ପରିଶେଷରେ ବିଭାଗକୁ ମିଳିଛି ଉଲ୍ଲେଖନୀୟ ସଫଳତା। ବନବିଭାଗ ପକ୍ଷରୁ ୬ ଅନ୍ତଃଜିଲ୍ଲା ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଜନ୍ତୁଙ୍କ ଚମଡ଼ା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ମଜୁରଡିମାର ରାଜକୁମାର ପ୍ରଧାନ(୩୫) ଓ ରମଣୀରଞ୍ଜନ ପାତ୍ର ଏବଂ ସମ୍ବଲପୁର ଜିଲ୍ଲା ଡମମୁଣ୍ଡାର ଶରତ ନାଏକ(୫୦), ସମ୍ବଲପୁର ଜିଲ୍ଲା ଖାକୁରବାହାଲର ଭୀମ କିସାନ(୨୭), ଗୁରୁଣ୍ଡିଆ ଥାନା କେଲୋ ଗ୍ରାମର ନାରାୟଣ ହସ୍ତୀ(୪୧) ଓ ବିଶ୍ଵନାଥ ହସ୍ତୀ(୫୫)।
ସୂଚନାଯୋଗ୍ୟ ଯେ, ପ୍ରାୟ ଦେଢ଼ମାସ ହେବ ବଣାଇ ବନଖଣ୍ଡ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାରୀଙ୍କ ଗତିବିଧି ବୃଦ୍ଧିପାଇବା କାରଣରୁ ବିଭାଗ ଟ୍ରାକିଂ ଚଳାଇଥିଲା। ଗୁରୁବାର ସକାଳ ସମୟରେ ବଣାଇ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ, ଜର୍ଡା ବନାଞ୍ଚଳ ଅଧିକାରୀ କୈଳାସ କିସାନଙ୍କ ନେତୃତ୍ଵରେ ଏକ ୩୫ ଜଣିଆ ଟିମ୍ ବିଭିନ୍ନସ୍ଥାନରେ ଚଢ଼ାଉ କରିଥିଲେ।
ଏହି ଚଢ଼ାଉରେ ଭିନ୍ନଭିନ୍ନ ସ୍ଥାନରୁ ୬ ଜଣଙ୍କୁ ଗିରଫ କରିବା ସହ ୫ଟି ଦେଶୀବନ୍ଧୁକ, ଦୁଇଟି ମାଙ୍କଡ଼ ଚମଡା, ଦୁଇଟି କୁଟୁରା ଶିଙ୍ଘ, ଶିକାରଫାଶ, ୮ଟି ଧନୁତୀର, ପ୍ରଚୁର ବାରୁଦ, ଅଫୁଟାଗୁଳି, ମୟୂରପୁଚ୍ଛ, ଝିଙ୍କକାଠି, ଦୁଇଟି ମୋବାଇଲ୍ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବଣାଇ ଡିଏଫ୍ଓ ଲଳିତ କୁମାର ପାତ୍ର ସମ୍ପୃକ୍ତ ଶିକାରୀମାନେ ଆନ୍ତଃଜିଲ୍ଲା ଅପରାଧୀ ଓ ଆଗକୁ ଆହୁରି ଅନେକ ଘଟଣାରେ ବନବିଭାଗକୁ ସଫଳତା ମିଳିବାକୁ ଯାଉଥିବା ନେଇ ପ୍ରାକ୍ ସୂଚନା ଦେଇଥିଲେ। ଗିରଫ ୬ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/02/28/JYvE54qI9siFknzBqKgx.jpg)