ନୂଆ ମୁହଁ ଉପରେ ଭରଷା କରିଛି କଂଗ୍ରେସ, ୬ ଲୋକସଭା ଭିତରୁ ୪ଟି ଆସନରେ ନୂଆ ପ୍ରାର୍ଥୀ

ଭୁବନେଶ୍ୱର: ବିଜେଡି ପରି କଂଗ୍ରେସ ବି ନୂଆ ମୁହଁ ଉପରେ ଭରଷା କରିଛି। କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ୬ ଲୋକସଭା ଭିତରୁ ୪ଟି ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରିଛି । ସେହିଭଳି ୩୬ ବିଧାନସଭାରୁ ୨୩ଟିରେ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରଛି କଂଗ୍ରେସ।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପୁରୁଣାଙ୍କୁ ହଟାଇ ନୂଆଙ୍କ ଉପରେ ଭରଷା କରିଛି । ଘୋଷିତ ହୋଇଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବରଗଡରୁ ଅମର ପ୍ରଧାନଙ୍କ ସ୍ଥାନରେ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡାରୁ ହେମାନନ୍ଦ ବିଶ୍ୱାଳଙ୍କ ସ୍ଥାନରେ ଜର୍ଜ ତିର୍କୀ, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଓ ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁଙ୍କ ସ୍ଥାନରେ ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଦଳ ଭରଷା କରିଛି। ତେବେ କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ନବରଙ୍ଗପୁରରୁ ପ୍ରଦୀପ ମାଝିଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି ।

ସେହିପରି ଘୋଷଣା ହୋଇଥିବା ୩୬ଟି ବିଧାନସଭା ଆସନ ମଧ୍ୟରୁ ୨୩ଟି ବିଧାନସଭା କ୍ଷେତ୍ର ପାଇଁ ନୂଆ ମୁହଁ ଦେଇଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ୩ଜଣଙ୍କ ନାଁ ରହିଛି । ନରସିଂହ ପୂର୍ବଭଳି ବଲାଙ୍ଗୀର ଆସନରୁ ନିର୍ବାଚନ ଲଢ଼ିବେ । ବିଧାୟକ ଭୁଜବଳ ମାଝୀଙ୍କୁ ତାଙ୍କ ନିର୍ବାଚନ କ୍ଷେତ୍ର ଡାବୁଗାଁରୁ ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଜୟପୁରରୁ ପ୍ରାର୍ଥୀ କରାଯାଇଛି । ତେବେ କଂଗ୍ରେସ ଘୋଷଣା କରିଥିବା ଆସନ ମଧ୍ୟରୁ କୋରାପୁଟ ଲୋକସଭା କ୍ଷେତ୍ର ଓ ୯ଟି ବିଧାନସଭା ଆସନ ପାଇଁ ବି ନିଷ୍ପତି ଝୁଲି ରହିଛି ।

ସମ୍ବନ୍ଧିତ ଖବର