ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ଆଜି: ୩୪ଟି ରେଡ୍‌ ଆଲର୍ଟ ଆସନ

ଅଖିଳେଶ, ମେନାକା, ଶୀଲା, ଦିଗ୍‌ବିଜୟ ପ୍ରମୁଖ ପ୍ରାର୍ଥୀ, ୟୁପି ପୂର୍ବାଞ୍ଚଳ: ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆସନ୍ତାକାଲି (ରବିବାର) ୭ଟି ରାଜ୍ୟର ୫୯ଟି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ହେବ। ଏଥିରେ ମୋଟ ୯୭୯ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୧୦.୧୬ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ବିଜେପି, କଂଗ୍ରେସ ଏବଂ ୟୁପି ମହାମେଣ୍ଟ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। ୨୦୧୪ରେ ବିଜେପି ଏହି ୫୯ଟି ଆସନରେ ୩୫.୮ ପ୍ରତିଶତ ଭୋଟ୍‌ ହାସଲ ସହ ୪୪ ଆସନରେ ବିଜୟ ଲାଭ କରିଥିଲା। ତେଣୁ ଏହି ପର୍ଯ୍ୟାୟରେ ଆସନ ବଂଚାଇବା ବିଜେପି ପାଇଁ ବିରାଟ ଚ୍ୟାଲେଂଜ ହୋଇଛି। ଉତ୍ତର ପ୍ରଦେଶର ଯେଉଁ ୧୪ଟି ଆସନରେ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବ ସେଥିରୁ ୧୨ଟି ଆସନରେ ବିଜେପି ୨୦୧୪ରେ ବିଜୟୀ ହୋଇଥିଲା। ଆସନ୍ତାକାଲି ମଧ୍ୟପ୍ରଦେଶର ୮ ଆସନ, ହରିୟାଣାର ୧୦ ଆସନ, ଦିଲ୍ଲୀର ୭ ଆସନ, ଝାଡ଼ଖଣ୍ଡର ୪ ଏବଂ ପଶ୍ଚିମବଂଗର ୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏହା ବ୍ୟତୀତ ପଶ୍ଚିମ ତ୍ରିପୁରା ଆସନ ପାଇଁ ପୁନଃ ଭୋଟ୍‌ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ୩୪ଟି ରେଡ୍‌ ଆଲର୍ଟ ଆସନ ରହିଛି। ଏହି ଆସନଗୁଡ଼ିକରେ ୩ ଜଣରୁ ଅଧିକ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ଉତ୍ତର ପ୍ରଦେଶର ପୂର୍ବାଞ୍ଚଳର ସମସ୍ତ ୧୪ଟି ଆସନରେ ଜୋର୍‌ଦାର ମୁକାବିଲା ହେଉଛି। ଏବେ ଭୋଟ୍‌ ଗଣିତ ଏସ୍‌ପି-ବିଏସ୍‌ପି ମହାମେଣ୍ଟ ସପକ୍ଷରେ ଥିଲେ ମଧ୍ୟ କଂଗ୍ରେସ ଯଦି ବଡ଼ ଧରଣର ଭୋଟ୍‌ ବିଭାଜନ ଘଟାଇବାରେ ସକ୍ଷମ ହେବ ତା’ହେଲେ ମହାମେଣ୍ଟ ପାଇଁ ବିଜୟ ରାସ୍ତା ଏତେ ସହଜ ହେବନାହିଁ। କଂଗ୍ରେସ ପାଇଁ ମଧ୍ୟ ୟୁପି ପୂର୍ବାଞ୍ଚଳ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ପୂର୍ବାଞ୍ଚଳ ପ୍ରଭାରୀ ଦାୟିତ୍ବ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ନ୍ୟସ୍ତ ଥିବା ବେଳେ ଏହି ଅଂଚଳରେ କଂଗ୍ରେସ ତା’ର ସବୁ ଶକ୍ତି ଖଟାଇଛି। ତେଣୁ କଂଗ୍ରେସର ଷ୍ଟାର୍‌ ପ୍ରଚାରକ ପ୍ରିୟଙ୍କାଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ଯେଉଁ ଚର୍ଚ୍ଚିତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ, ଶୀଲା ଦିକ୍ଷୀତ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ପ୍ରମୁଖ ରହିଛନ୍ତି।

ଷଷ୍ଠ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୫.୪୨ କୋଟି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୭.୧୪ କୋଟି। ଏଥିରେ ୩୩୦୭ ତୃତୀୟ ଲିଙ୍ଗ ଭୋଟର୍‌ ମଧ୍ୟ ଅଛନ୍ତି। ମୋଟ ୯୭୯ ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ ସ୍ବାଧୀନ ପ୍ରାର୍ଥୀ ଥିବା ଜଣାପଡ଼ିଛି। ଏହି ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୭୬୯। ବିଜେପିର ୫୪ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ବିଏସ୍‌ପିର ୪୯ ପ୍ରାର୍ଥୀ ଅଛନ୍ତି। ଏହା ବ୍ୟତୀତ କଂଗ୍ରେସର ୪୬, ଶିବସେନାର ୧୬, ଆପ୍‌ର ୧୨, ଟିଏମ୍‌ସିର ୧୦, ଆଇଏନ୍‌ଏଲ୍‌ଡିର ୧୦, ସିପିଆଇର ୭ ଏବଂ ସିପିଏମ୍‌ର ୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ଦିଲ୍ଲୀ-ହରିୟାଣାରେ ରୋଚକ ଲଢ଼େଇ
ଦିଲ୍ଲୀରେ କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ମେଣ୍ଟ ସମ୍ଭବ ହୋଇନଥିବାରୁ ଏବେ ଲଢ଼େଇ ବେଶ୍‌ ରୋଚକ ହୋଇଉଠିଛି। ଏଠାରେ ସମସ୍ତ ୭ ଆସନରେ ବିଜେପି, କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜୟ ହାସଲ କରିଥିଲା। ପଡ଼ୋଶୀ ହରିୟାଣାର ୧୦ ଲୋକସଭା ଆସନ ମଧ୍ୟ ରବିବାର ଭୋଟ୍‌ ଗ୍ରହଣ ହେବ। ଲୋକସଭା ନିର୍ବାଚନର ଫଳାଫଳ ଆଉ ମାତ୍ର କିଛି ମାସ ପରେ ହେବାକୁ ଥିବାରୁ ବିଧାନସଭା ନିର୍ବାଚନ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ। ହରିୟାଣାରେ ବିଜେପି ୨୦୧୪ରେ ୭ଟି ଆସନ ଦଖଲ କରିଥିଲା।

ସମ୍ବନ୍ଧିତ ଖବର