ଭୁବନେଶ୍ୱର: କ୍ୟାମେରା ମ୍ୟାନ୍ରୁ କୋଟିପତି ଭାବରେ ପରିଚୟ କରିଥିବା ଜ୍ୟୋତିରଂଜନ ବେହୁରା ଓରଫ ଗୋଲଡେନ୍ ବାବାର ୭ଟି ବ୍ୟାଙ୍କ ଆକାଉଣ୍ଟକୁ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଫ୍ରିଜ୍ କରିଛି। ଫ୍ରିଜ୍ ହୋଇଥିବା ୭ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୫୧ ଲକ୍ଷ ଟଙ୍କା ଥିବା କ୍ରାଇମ୍ବ୍ରାଞ୍ଚକୁ ସୂଚନା ମିଳିଛି।
ଦିନକୁ ଦିନ ଗୋଲଡେନ୍ ବାବାଙ୍କ ବିରୋଧରେ ନୂଆ ନୂଆ ଗୁମର ଫିଟୁଛି। ଗୋଟିଏ ଦିନରେ ରିମାଣ୍ଡରେ ନେବା ପରେ କ୍ରାଇମବ୍ରାଞ୍ଚ ଗୋଲଡେନ୍ ବାବାଙ୍କ ଠାରୁ ୩୦୦ କୋଟି ଟଙ୍କା ଠକେଇର ଗନ୍ଧ ପାଇଛି। ଫଳରେ ବାବାକୁ ପୁଣି ଥରେ ରିମାଣ୍ଡରେ ନେବାକୁ ପ୍ରସ୍ତୁତି କରୁଛି। ଗୋଲଡେନ୍ ବାବାଙ୍କ କାରବାର କେବଳ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ଚାଲିଥିବା ଜଣାପଡ଼ିଛି। ନିଜର ଉପସ୍ଥିତ ବୁଦ୍ଧି ବଳରେ ଗୋଲଡେନ୍ ବାବା ଦିଲ୍ଲୀ ଓ ମୁମ୍ବାଇର ବ୍ୟବସାୟୀଙ୍କୁ ମଧ୍ୟ ଜାଲରେ ଫସାଇ ପାରୁଥିଲା।
କ୍ରାଇମବ୍ରାଞ୍ଚ ଗୋଲଡେନ୍ ବାବାକୁ ରିମାଣ୍ଡରେ ନେଇ ପଚରାଉଚରା କରିପାରିବା ପରେ ଅନେକ ଗୁଡ଼ିଏ ତଥ୍ୟ ହାସଲ କରିଛି। ଅନେକ ଗୁଡ଼ିକ କାଗଜପତ୍ର ଯାଞ୍ଚ କଲା ପରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଯେ, ବଡ଼ ବଡ଼ ଆର୍ଥିକ କାରବାର ସହିତ ଗୋଲଡେନ୍ ବାବାର ସଂପୃକ୍ତି ଥିଲା। କ୍ରାଇମବ୍ରାଞ୍ଚ ଦିଲ୍ଲୀ ଓ ମୁମ୍ବାଇ ପୁଲିସ ସହିତ ଯୋଗାଯୋଗ କରି ଗୋଲଡେନ୍ ବାବାଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ କରିପାରେ।
ନିଜକୁ ରାଜନୈତିକ ନେତାର ପରିଚୟ ଦେଇ ବଡ଼ ବଡ଼ ଅର୍ଥନୈତିକ କାରବାର ସହିତ ଗୋଲଡେନ୍ ବାବା ସଂପୃକ୍ତ ରହୁଥିଲା। ବାବା ନେତା ହେବାକୁ ଆଗ୍ରହ ପ୍ରକାଶ କରିଥିଲା। ଏଥି ପାଇଁ ସେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲା। ପୁଲିସ ଗତ ଡିସେମ୍ବର ୩୧ରେ ଗୋଲଡେନ୍ ବାବାଙ୍କୁ ଚେକ୍ ବାଉନ୍ସ, ଠକେଇ ଓ ଜମି ଜାଲିଆତି ମାମଲାରେ ଗିରଫ କରିଥିଲା।