କୋଲକାତା: ଆସନ୍ତାକାଲି ହୋଲି ପାଇଁ ବେଶ ଖୁସିରେ କିଣାକିଣି କରି ଘରକୁ ଫେରୁଥିଲେ | ହେଲେ ଆଖିପିଛୁଳାକେ ଖୁସିର ମୁହୂର୍ତ୍ତ ଦୁଃଖରେ ବଦଳିଯାଇଛି | ଏକ ଦ୍ରୁତଗାମୀ କାର ଧକ୍କାରେ ୭ ଜଣଙ୍କର ମୃତ୍ୟୁ ହୋଇଛି | ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଛାପରା ଅଞ୍ଚଳର ଲକ୍ଷ୍ମୀଗାଛରେ ଆଜି ଏଭଳି ଏକ ଘଟଣା ଘଟିଛି | ଏକ ଦ୍ରୁତଗାମୀ କାର ଗୋଟିଏ ପରେ ଗୋଟିଏ ତିନୋଟି ଇ-ରିକ୍ସାକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି। ପୋଲିସ ଏ ବିଷୟରେ ସୂଚନା ଦେଇଛି।

Advertisment

ପୋଲିସ ଅଧିକାରୀ କହିଛନ୍ତି ଯେ ଇ-ରିକ୍ସା ଯାତ୍ରୀମାନେ ବଜାରରେ କିଣାକିଣି କରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସେ କହିଛନ୍ତି ଯେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏସୟୁଭିଟି ଗୋଟିଏ ପରେ ଗୋଟିଏ ତିନୋଟି ଇ-ରିକ୍ସାକୁ ଧକ୍କା ଦେଇଥିଲା, ଫଳରେ ଇଲେକ୍ଟ୍ରିକ୍ ଯାନରେ ଥିବା ସାତ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଆଠ ଜଣ ଆହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଗାଡି ଛାଡି ଘଟଣାସ୍ଥଳରୁ ପଳାଇଯାଇଥିବା କାର ଡ୍ରାଇଭରଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଛି।