ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମରେ ଥିବା ଶ୍ରୀ ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଅଘଟଣ। କାନ୍ଥ ଭୁଷୁଡି ୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଚନ୍ଦନ ଯାତ୍ରା ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏନଡିଆରଏଫ୍ ଓ ଏସ୍ଡି୍ଆରଏଫ୍ ଟିମ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହଠାତ୍ ୨୦ ଫୁଟର ଏକ କାନ୍ଥ ଭାଙ୍ଗି ଯାଇଥିଲା। ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚନ୍ଦନ ଯାତ୍ରାରେ ସୀମାଂଚଳମ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଓଡିଶାରୁ ହଜାର ହଜାର ଭକ୍ତ ଏଥିରେ ସାମିଲ ହୋଇଥାନ୍ତି।
ମିଳିଥିବା ସୂଚନା ମୁତାବକ ବୁଧବାର ଭୋର ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ, ମନ୍ଦିର ପରିସରରେ ଏକ ସଦ୍ୟ ନିର୍ମିତ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି। ଏହି ଘଟଣା ମନ୍ଦିରରେ ଉପସ୍ଥିତ ଭକ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କାନ୍ଥର ଧ୍ୱଂସାବଶେଷ ତଳେ ଚାପି ହୋଇ ସାତ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଛି।