ଆଗ୍ରା-କାନପୁର ଜାତୀୟ ରାଜପଥରେ ଟ୍ରକ୍‌ ସହ ‘ଏସ୍‌ୟୁଭି’ ଧକ୍କା ଖାଇବାରୁ ୯ ମୃତ, ୩ ଆହତ

ନୂଆଦିଲ୍ଲୀ: ଆଜି ସକାଳେ ଆଗ୍ରା-କାନପୁର ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ୩ଜଣ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି।

ଆଗ୍ରାର ଏତ୍‌ମାଦ୍ଦୁଲା ଥାନା ଅଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ-୨ରେ ଭୋର୍‌ ୫: ୧୫ ସମୟରେ ଗୋଟାଏ ‘ଏସ୍‌ୟୁଭି’ କାର୍‌ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ଏଭଳି ହୃଦୟବିଦାରକ ଦୁର୍ଘଟଣା ଘଟିଛି।

Image Courtesy of India Today

ପ୍ରାପ୍ତ ସୂଚନା ଅନୁସାରେ, ଟ୍ରକ୍‌ରେ ଧକ୍କା ଖାଇଥିବା ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌’ ‘ସ୍କର୍ପିଓ’ରେ ୧୨ଜଣ ବ୍ୟକ୍ତି ଯାତ୍ରା କରୁଥିଲେ। ସମ୍ଭବତଃ ଚାଳକ ଢୁଳାଇ ପଡ଼ିବାରୁ ‘ଏସ୍‌ୟୁଭି’ ତାଙ୍କ ନିୟନ୍ତ୍ରଣରୁ ବାହାରି ରାସ୍ତାର ‘ଡିଭାଇଡର୍‌’କୁ ଟପି ଅପରପାର୍ଶ୍ୱରୁ ଆସୁଥିବା କଣ୍ଟେନର୍‌ ଟ୍ରକ୍‌ ଉପରେ ଧକ୍କା ଖାଇଥିଲା। ଆଗ୍ରାରୁ ଆସୁଥିବା ଉକ୍ତ କଣ୍ଟେନର୍‌ ଟ୍ରକ୍‌ ଡ୍ରାଇଭର୍‌ ମଧ୍ୟ ଦୁର୍ଘଟଣା ଏଡ଼ାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ, କିନ୍ତୁ ବେଗ ଦ୍ରୁତ ଥିବାରୁ ତାହା ସମ୍ଭବ ହେଲାନାହିଁ।

ଆଗ୍ରାର ‘ଏସ୍‌ଏସ୍‌ପି’ ବବ୍‌ଲୁ କୁମାର କହନ୍ତି, ମୃତବ୍ୟକ୍ତିମାନଙ୍କର ଶବ ସବୁକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ‘ସ୍କର୍ପିଓ’ଟି ଝାଡ଼ଖଣ୍ଡରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର