ତବଲିଗି ଜମାତରେ ଯୋଗ ଦେଇଥିବା ୯ ହଜାର ବ୍ୟକ୍ତି ଚିହ୍ନଟ, ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ବିଦେଶୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତ ସମ୍ମିଳନୀ ଯୋଗୁଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୨୮ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଓ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଏକ ବଡ଼ ଭାଗ ତବଲିଗି ଜମାତ ସହ ସମ୍ପର୍କିତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି ।
ଏହି ସମ୍ମିଳନୀକୁ ଯାଇଥିବା ଲୋକମାନଙ୍କ ମଧ୍ୟରୁ ୪ ଶହ ଜଣଙ୍କଠାରେ କରୋନା ପଜିଟିଭ ବାହାରିଛି ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମୁମ୍ବାଇର ଧରାବୀରେ ଜଣେ ସଂକ୍ରମିତ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ପରେ ଆଖପାଖର ଦୋକାନ ଓ ଘରଗୁଡ଼ିକୁ ସିଲ କରିଦିଆଯାଇଛି ।
କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ତବଲିଗି ଜମାତ ସହ ସମ୍ପର୍କିତ ପ୍ରାୟ ୯ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ବିଦେଶୀ । ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ ରକ୍ତ ନମୁନା ସଂଗ୍ରହ କରାଯାଇଛି ।
ଲବ ଅଗ୍ରଓ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ପ୍ରାୟ ୧.୫ କୋଟି ପିପିଇ ( ବ୍ୟକ୍ତିଗତ ସୁରକ୍ଷା ଉପକରଣ) ପାଇଁ ଅର୍ଡର ଦେଇଛନ୍ତି । ଏଗୁଡ଼ିକର ଯୋଗାଣ ଆରମ୍ଭ ହୋଇଗଲାଣି । ଏହାଛଡ଼ା ୧ କୋଟି ଏନ-୯୫ ମାସ୍କ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି ।

ସମ୍ବନ୍ଧିତ ଖବର