ନୂଆଦିଲ୍ଲୀ: ପାଇଲଟ୍‌ ରୋଷ୍ଟରିଂରେ ଅବହେଳା କରିଥିବା ଟାଟା ଗ୍ରୁପ୍‌ର ଏୟାରଲାଇନ୍ ଏୟାର ଇଣ୍ଡିଆ ଓ ଏହାର ଦୁଇ ନିର୍ଦ୍ଦେଶକଙ୍କ ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୯୯ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଜୁଲାଇ ମାସ ଲାଗି କମ୍ପାନି ସ୍ବେଚ୍ଛାକୃତ ଭାବେ ଯେଉଁ ରିପୋର୍ଟ ଦାଖଲ କରିଥିଲା ସେଥିରୁ ଡିଜିସିଏ ଏହି ତ୍ରୁଟିକୁ ଧରିଛନ୍ତି। ଏୟାର ଇଣ୍ଡିଆ ଜଣେ ଅଣ ତାଲିମପ୍ରାପ୍ତ ଲାଇନ୍ କ୍ୟାପ୍‌ଟେନ୍‌ଙ୍କ ସହ ଜଣେ ଅଣ-ଲାଇନ୍ ଫାଷ୍ଟ ଅଫିସରଙ୍କୁ ଯୋଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ତାହା ଏକ ଗମ୍ଭୀର ଘଟଣା ବୋଲି ଡିଜିସିଏ ବିଚାର କରି କମ୍ପାନି ଉପରେ ଜରିମାନା ଲଗାଇଛି। 

Advertisment

ଜୁଲାଇରେ ମୁମ୍ବାଇ-ରିୟାଦ ବିମାନରେ ଏହି ଘଟଣା ଘଟିଥିଲା। ସେହି ବିମାନ ଉଡ଼ାଇବା ଲାଗି ଜଣେ ତାଲିମପ୍ରାପ୍ତ ପାଇଲଟ୍‌ଙ୍କ ସହ ଜଣେ ଟ୍ରେନି ପାଇଲଟ୍‌ଙ୍କୁ ଦାୟିତ୍ବ ଦିଆଯାଇଥିଲା। ତାଲିମ ପାଇଥିବା ପାଇଲଟ୍‌ ଜଣକ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କ ସ୍ଥାନରେ ଆଉ ଜଣେ ତାଲିମପ୍ରାପ୍ତ ପାଇଲଟ୍‌ଙ୍କୁ ଦେବା ବଦଳରେ କମ୍ପାନି ଜଣେ ସାଧାରଣ ପାଇଲଟ୍‌ଙ୍କୁ ଦାୟିତ୍ବ ଦେଇଥିଲା। ବିମାନ ଉଡ଼ାଣ ବେ‌ଳେ ଉଭୟ ପାଇଲଟ୍‌ ଏକଥା ଜାଣିବା ପରେ କମ୍ପାନିକୁ ଜଣାଇଥିଲେ। କମ୍ପାନି ସେ ବିଷୟରେ ଡିଜିସିଏକୁ ସୂଚନା ଦେଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଡିଜିସିଏ ତରଫରୁ ବ୍ୟାପକ ତଦନ୍ତ କରାଯିବା ସହ ଏୟାର ଇଣ୍ଡିଆର ସିଡ୍ୟୁଲିଂ ବ୍ୟବସ୍ଥାର ସ୍ପଟ୍‌ ଯାଞ୍ଚ କରାଯାଇଥିଲା। ତଦନ୍ତ ବେଳେ କମ୍ପାନି ଆଡ଼ୁ ନିୟମ ପାଳନରେ ଅନେକ ତ୍ରୁଟି ସାମ୍ନାକୁ ଆସିଥିଲା। ଏହାପରେ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଯାହା ସନ୍ତୋଷଜନକ ଉତ୍ତର ଦେବାରେ ଏହା ବିଫଳ ହୋଇଥିଲା। ଫଳରେ ଡିଜିସିଏ ତରଫରୁ ଏୟାର ଇଣ୍ଡିଆକୁ ୯୦ ଲକ୍ଷ ଟଙ୍କା, କମ୍ପାନିର ନିର୍ଦ୍ଦେଶକ (ଅପରେସନ୍ସ)ଙ୍କୁ ୬ ଲକ୍ଷ ଟଙ୍କା ଓ ନିର୍ଦ୍ଦେଶକ (ତାଲିମ)ଙ୍କ ଉପରେ ତିନି ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିଲା।