ସୁନ୍ଦରଗଡ଼: ଦୁଇ ଜଣ ଯୁବକ ନିଜକୁ ବ୍ଲକ୍‌ କର୍ମଚାରୀ ପରିଚୟ ଦେବା ସହ ଭତ୍ତା କରିଦେବେ କହି ଜଣେ ମହିଳାଙ୍କ ଆକାଉଣ୍ଟରୁ ୯୯୦୦ ଟଙ୍କା ନେଇ ଚମ୍ପଟ ମାରିଥିବା ସଦରଥାନାରେ ଅଭିଯୋଗ ‌ହୋଇଛି। ଠକେଇରେ ପଡ଼ିଥିବା ମହିଳା ଜଣକ ହେଲେ କେନାପାଲି କୁରଗାର ସୁଷମା ମାଝୀ।  ଶ୍ରମିକ ଶ୍ରେଣୀର ମହିଳା କୁଲି ମଜୁରି କରି ଆକାଉଣ୍ଟରେ ୧୭ ହଜାର ଟଙ୍କା ରଖିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ପ୍ରତିପୋଷଣର ବୋଝ ବୋହିଥିବା ମହିଳାଙ୍କ ଏତିକି ହିଁ ସମ୍ବଳ। ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ମିଳି ନଥିଲା।

Advertisment

ଘଟଣାକ୍ରମେ, ୧୫ ତାରିଖ ସକାଳେ ଦୁଇ ଜଣ ଯୁବକ ଏକ ବାଇକରେ ତାଙ୍କ ପାଖକୁ ଯାଇ ଟାଙ୍ଗରପାଲି ବ୍ଲକ୍‌ କମର୍ଚାରୀ କହି ତାଙ୍କ ଭତ୍ତା ଆବେଦନ କଥା ପଚାରିଥିଲେ। ଭତ୍ତା କରିଦେବାକୁ ଆସିଛୁ କହି ମହିଳାଙ୍କ ଆଧାରକାର୍ଡ, ଆକାଉଣ୍ଟ ଓ ପରିଚୟ ସମ୍ପର୍କିତ  ଅନ୍ୟ କାଗଜପତ୍ର ମାଗି କଣ ସବୁ ଟିପି ରଖିଲେ। ଏହା ପରେ ସଙ୍ଗରେ ନେଇଥିବା  ଆଙ୍ଗୁଠି ଛାପ ଯନ୍ତ୍ର (ଫିଙ୍ଗର୍‌ ପ୍ରିଣ୍ଟ ମେସିନ)ରେ ମହିଳାଙ୍କ  ଆଙ୍ଗୁଠି ଛାପ ନେଇଥିଲେ। ଆର ମାସରୁ ଭତ୍ତା ମିଳିଯିବ କହି ଚାଲି ଯାଇଥିଲେ। କିଛି ସମୟ ପରେ ମହିଳା‌ଙ୍କ ଆକାଉଣ୍ଟରୁ  ୯୯୦୦ ଟଙ୍କା‌ କଟିଥିବାର ମେସେଜ ମୋବାଇଲକୁ ଆସିଥିଲା। ସେ ଠକାମିରେ ପଡ଼ିଥିବା ଜାଣି ଭୋ ଭୋ କାନ୍ଦି ପକାଇଥିଲେ।

ଗୁରୁବାର ସଦରଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଚଲାଇଛି। ଏବେ ସୁଭଦ୍ରା ଟଙ୍କା ପାଇଁ ମହିଳାମାନେ ଆଧାର ସଂଯୋଗ, ଆଧାର ସଂଶୋଧନ ଆଦି କାମ କରାଉଥିବା ବେଳେ କିଛି ଠକ ରାକେଟ ଗ୍ରାମାଞ୍ଚଳର ନିରୀହ ମହିଳାଙ୍କୁ ଟାର୍ଗେଟ କରି ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିବା ଅଭିଯୋଗ ହୋଇଛି। ପୁଲିସ ସୁଷମାଙ୍କ ମାମଲାରେ ‌ତନାଘନା କରି ସମ୍ପୃକ୍ତ ଠକମାନଙ୍କୁ ଧରିବାକୁ ଦାବି ହେଉଛି।