“ଧନୀମାନେ ନିଜ ଅର୍ଜିତ ସମ୍ପତ୍ତିର ମାଲିକ ନୁହନ୍ତି, ସେମାନେ ସେ ସମ୍ପତ୍ତିର ଟ୍ରଷ୍ଟି ମାତ୍ର।” ଗାନ୍ଧୀଜୀଙ୍କ ଏ ମନ୍ତବ୍ୟ ଦିନେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ଗାନ୍ଧୀ କିନ୍ତୁ ତାଙ୍କ ଏ ମନ୍ତବ୍ୟରେ ଶେଷ ପର୍ଯ୍ୟନ୍ତ ଅଟଳ ଥିଲେ। ୧୯୪୨ ମସିହାରେ ଆଗା ଖାଁ ପ୍ୟାଲେସରେ ବନ୍ଦୀ ଥିବାବେଳେ ସେ ଏହାକୁ ଏକ ଅଭିନବ ଆର୍ଥିକ ସିଦ୍ଧାନ୍ତର ରୂପ ଦେଇଥିଲେ। ଏହାର ନାଁ ଥିଲା ‘ଟ୍ରଷ୍ଟିସିପ୍‌’।
୧୯୧୫ ମସିହାରୁ ୧୯୧୬ ମସିହା ପର୍ଯ୍ୟନ୍ତ ପ୍ରାୟ ବର୍ଷେବ୍ୟାପୀ ଗାନ୍ଧୀଜୀ ଭାରତର ବିଭିନ୍ନ ଜାଗା ପରିଦର୍ଶନ କରିଥିଲେ- ହରଦ୍ୱାରରୁ ବନାରସ, ବର୍ମାରୁ ମାଡ୍ରାସ। ସବୁଠି ଗାନ୍ଧୀଜୀ ଦାରିଦ୍ର୍ୟ, ଅଭାବ, ଅନାହାର, ଆର୍ଥିକ ଅସମାନତାର ଭୟଙ୍କର ଚିତ୍ର ଦେଖିଥିଲେ; ଧର୍ମ ନାଁରେ ଶଠତା, ମନ୍ଦିରରେ ପବିତ୍ରତା ଆଳରେ ଆବର୍ଜନା ଦେଖିଥିଲେ।
୧୯୧୬ ମସିହା ଫେବ୍ରୁଆରିରେ ଗାନ୍ଧୀଙ୍କ ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ବନାରସରେ। ଫେବ୍ରୁଆରି ୪ ତାରିଖ ବସନ୍ତ ପଞ୍ଚାମୀରୁ ତିନିଦିନ ଧରି ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନର ଉଦ୍‌ଘାଟକ ତଥା ମୁଖ୍ୟଅତିଥି ଥିଲେ ତତ୍କାଳୀନ ଭାରତର ବଡ଼ଲାଟ ଲର୍ଡ ହାର୍ଡିଞ୍ଜ। ବଡ଼ଲାଟଙ୍କ ସୁରକ୍ଷା ପାଇଁ ବନାରସକୁ ଏକ ଦୁର୍ଗରେ ପରିଣତ କରିଦିଆଯାଇଥିଲା। ପକ୍କା ଘରର ଛାତ ଉପରେ ବନ୍ଧୁକଧାରୀ ସୈନିକମାନେ ଜଗି ରହିଥିଲେ। ସୁରକ୍ଷାବଳଙ୍କ ଦ୍ୱାରା ସହରର ସବୁ ରାସ୍ତା ବନ୍ଦ ଥିଲା।
ଉତ୍ସବର ଶେଷ ଦିନ ଫେବ୍ରୁଆରି ୬ ତାରିଖରେ ଗାନ୍ଧୀଜୀ ଜଣେ ନିମନ୍ତ୍ରିତ ଅତିଥି ଓ ବକ୍ତା ଥିଲେ। ସେଦିନ ସଭାପତିତ୍ୱ କରୁଥିଲେ ଦରଭଙ୍ଗାର ମହାରାଜ ସାର ରାମେଶ୍ୱର ପ୍ରସାଦ ସିଂହ। ଅନ୍ୟ ଜଣେ ଅତିଥି ଥିଲେ ଆନି ବେସାନ୍ତ। ମଞ୍ଚ ତଳେ ଶ୍ରୋତାଙ୍କ ଗହଣରେ ଅନେକ ରାଜା ମହାରାଜା ସ୍ବର୍ଣ୍ଣ ଅଭୂଷିତ ହୋଇ ବସିଥିଲେ। ଛାତ୍ର ଅଧ୍ୟାପକଙ୍କ ଗହଳିରେ ସଭାଗୃହ ପୂର୍ଣ୍ଣ ଥିଲା।
ସଭାରେ ସେଦିନ ବକ୍ତାମାନେ ଭାରତର ଦାରିଦ୍ର୍ୟ ଓ ଏହାର ଦୂରୀକରଣ ଉପରେ ଇଂରେଜୀରେ ଭାଷଣ ଦେଇଥିଲେ। ଗାନ୍ଧୀଜୀ ତାଙ୍କ ଭାଷଣରେ ଏହାର ପ୍ରତିବାଦ କରିଥିଲେ। ପ୍ରତିବାଦରେ କେମିତି ଏକ ବିଦ୍ରୋହର ସ୍ୱର ଥିଲା। ଗାନ୍ଧୀ କହିଲେ, ‘ମୁଁ ଆପଣଙ୍କୁ ଏଠି ନୂଆ ଦୃଶ୍ୟ ପ୍ରତି ଆକର୍ଷିତ କରୁଛି। ଆଜି ରାଜା ମହାରାଜା, ଅତିଥିମାନେ ଭାରତର ଦାରିଦ୍ର୍ୟ ସମ୍ପର୍କରେ ସୁନ୍ଦର ଭାଷଣ ଦେଇ ସାରିଲେଣି; ଭାରତର ଦାରିଦ୍ର୍ୟ ଦୂରୀକରଣ ନେଇ ସେମାନେ ଖୁବ୍‌ ଚିନ୍ତିତ ବୋଲି ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଆପଣମାନେ (ଶ୍ରତାମାନଙ୍କୁ ଲକ୍ଷ୍ୟ କରି) ଏ ଯେଉଁ ଭବ୍ୟ ପେଣ୍ଡାଲ୍‌ ଦେଖୁଛନ୍ତି ଏହାକୁ ନିଜେ ବଡ଼ଲାଟ ଉଦ୍‌ଘାଟନ କରିଛନ୍ତି। ଏଠି ତ ଆଜି ଯେପରି ସୁନା ଗହଣାର ପ୍ରଦର୍ଶନୀ ବସିଛି। ପ୍ୟାରିସ୍‌ରୁ ଆଣିଥିବା ସୁନା ଅଳଙ୍କାରରେ ଅତିଥିମାନେ ଝଲସୁଛନ୍ତି। ମୁଁ ମୋ ଦେଶର ଗରିବ ଓ ଏଠାରେ ବସିଥିବା ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ ରାଜାମାନଙ୍କୁ ତୁଳନା କରୁଛି। ଏଠି ଉପସ୍ଥିତ ପୂଜ୍ୟ ମହାନୁଭବଙ୍କୁ କିଛି କହିବାକୁ ଇଚ୍ଛା। ଦାରିଦ୍ର୍ୟରୁ ମୁକ୍ତି ପାଇବାକୁ ଆମ ପାଖରେ ରାସ୍ତାଟିଏ ଅଛି। ନିର୍ବାଣ ପାଇଁ ଉପାୟ ଅଛି। ସେ ଉପାୟ ହେଉଛି ଆପଣମାନେ ପିନ୍ଧିଥିବା ସୁନା ଗହଣାକୁ ଏକ ଟ୍ରଷ୍ଟରେ ରାଷ୍ଟ୍ରକୁ ସମର୍ପି ଦିଅନ୍ତୁ ଏବଂ ନିଜେ ଏହାର ଟ୍ରଷ୍ଟି ହୋଇଯାଆନ୍ତୁ।’ ସୁରକ୍ଷାର ଅଭୂତପୂର୍ବ ସାଜସଜ୍ଜା ଓ ଛାଉଣି ଯେ ବଡ଼ଲାଟଙ୍କ ଭୟ ଓ ଅସୁରକ୍ଷା ଭାବକୁ ପ୍ରକାଶ କରୁଛି, ଗାନ୍ଧୀଙ୍କ ଏପରି ଏକ ବୈପ୍ଳବିକ ଭାଷଣ ଥିଲା ସେଦିନ।
ଗାନ୍ଧୀଙ୍କ ଏ ବକ୍ତବ୍ୟର ମୃଦୁ ବିରୋଧ କରି ଆନି ବେସାନ୍ତ ଭାଷଣ ବନ୍ଦ କରିବାକୁ ବଡ଼ ପାଟିରେ କହିଥିଲେ ଏବଂ ସଭାର ସଭାପତି ରାମେଶ୍ୱର ପ୍ରସାଦ ସିଂହ ଓ ସଭାକକ୍ଷରେ ଉପସ୍ଥିତ ଥିବା ରାଜା ମହାରାଜାମାନେ ବି ଗାନ୍ଧୀଙ୍କୁ ବିରୋଧ କରି ସଭାସ୍ଥଳ ଛାଡ଼ି ଚାଲିଯାଇଥିଲେ। “ଗୋ ଅନ୍ ଗାନ୍ଧୀ, ଉଇ ଆର ଉଇଥ୍ ୟୁ’ ସ୍ଲୋଗାନ୍‌ ଦେଇ କେବଳ ଛାତ୍ରମାନେ ଗାନ୍ଧୀଜୀଙ୍କୁ ସମର୍ଥନ କରିଥିଲେ।
ଗାନ୍ଧୀଙ୍କର ସେ ଭାଷଣ ତାଙ୍କୁ ଇଂରେଜଙ୍କ କଡ଼ା ନଜର ମଧ୍ୟକୁ ନେଇ ଆସିଥିଲା ଏବଂ ଗାନ୍ଧୀଙ୍କ ରାଜନୈତିକ ଆଦର୍ଶଗତ ସମ୍ପୃକ୍ତି ନେଇ ଗୁପ୍ତରେ ଅନୁସନ୍ଧାନ ହୋଇଥିଲା।
୧୯୪୨ ମସିହା ପର୍ଯ୍ୟନ୍ତ କିନ୍ତୁ ଗାନ୍ଧୀଜୀ କାର୍ଲ ମାର୍କ୍ସଙ୍କ ‘ଦାସ୍‌ କାପିଟାଲ୍‌’ ପଢ଼ି ନ ଥିଲେ। ଆଗା ଖାଁ ପାଲେସରେ ଥିବାବେଳେ ଗାନ୍ଧୀ ‘ଦାସ୍‌ କାପିଟାଲ୍‌’ ପଢ଼ିଥିଲେ ଏବଂ ନିଜ କଳ୍ପିତ ‘ଟ୍ରଷ୍ଟିସିପ୍‌’କୁ ଏକ ସାମାଜିକ ତଥା ଆର୍ଥିକ ସିଦ୍ଧାନ୍ତର ରୂପ ଦେବାକୁ ସେ ପ୍ରଫେସର ଦାନ୍ତେୱାଲା, ପ୍ୟାରେଲାଲ, କିଶୋରଲାଲ ମସୃୱାଲା ଓ ନରହରି ପରେଖଙ୍କୁ ଦାୟିତ୍ୱ ଦେଇଥିଲେ। ନିଜ ପୁସ୍ତକ ‘ହିନ୍ଦ୍ ସ୍ୱରାଜ’କୁ ଆଧାର କରି ଗାନ୍ଧୀ ନିଜେ ଏହାର ମୂଳ ଡ୍ରାଫ୍‌ଟ ପ୍ରସ୍ତୁତ କରିଥିଲେ।
ଗାନ୍ଧୀଜୀଙ୍କୁ ଯେତେବେଳେ ପ୍ରଶ୍ନ ହେଲା, ବାପୁ ଆପଣ ‘ଟ୍ରଷ୍ଟିସିପ୍‌’ ପାଇଁ ଏତେ ବ୍ୟସ୍ତ କାହିଁକି? ଗାନ୍ଧୀ ତାଙ୍କ ପୁସ୍ତକ ‘ନନ୍ ଭାଓଲେନ୍‌ସ, ୱେ ଟୁ ୱାର୍ଲଡ୍ ପିସ୍’ ପୁସ୍ତକରେ ଏହାର ଉତ୍ତର ଦେଇ ଲେଖିଥିଲେ, ‘ଏକ ସୁଖୀ ବିକଳ୍ପ ପୃଥିବୀ ପାଇଁ ଦୁଇଟି ଜିନିଷର ଆବଶ୍ୟକତା ରହିଛି। ଗୋଟିଏ ହେଲା, ଏକ ହିଂସାମୁକ୍ତ ସମାଜ ଏବଂ ଅନ୍ୟଟି ହେଲା ଅହିଂସା ଆଧାରିତ ଆର୍ଥିକ ସମବଣ୍ଟନ। ଏକ ଉନ୍ନତ ଜୀବନ ନିମନ୍ତେ ଏହା ମୋର ବ୍ଲୁ ପ୍ରିଣ୍ଟ, ନୀଳ ନକ୍ସା।’
ଗାନ୍ଧୀ ତାଙ୍କର ଏହି ଆର୍ଥିକ ସମବଣ୍ଟନ ତତ୍ତ୍ବକୁ ବିସ୍ତାରିତ କରିବାକୁ ଯାଇ ଏହି ପୁସ୍ତକରେ ଆହୁରି ବି ସ୍ପଷ୍ଟ କରିଦିଅନ୍ତି, ବଣ୍ଟନ ପାଇଁ ସମ୍ପତ୍ତି ଦରକାର। ସମ୍ପତ୍ତି ସୃଷ୍ଟି ଓ ସଂଗ୍ରହ କରିଥିବା ଧନୀମାନେ ନିଜର ଯଥୋଚିତ ଆବଶ୍ୟକତା ଅନୁସାରେ ସମ୍ପତ୍ତି ନିଜ ପାଖରେ ରଖି ତାଙ୍କର ବଳକା ସମ୍ପତ୍ତିକୁ ସମାଜକୁ ସ୍ୱଇଚ୍ଛାରେ ଦାନ କରିଦେବା ଉଚିତ। ନିଜ ଉପାର୍ଜିତ ସମ୍ପତ୍ତିର ଧନୀଟି ଏକ ‘ଟ୍ରଷ୍ଟି’ ମାତ୍ର। ଯେତେବେଳେ ଜଣେ ଧନୀ ନିଜକୁ ଏ ସମାଜର ଜଣେ ସେବକ ବୋଲି ଭାବିବ, ଏବଂ ସେ ଯାହା ଉପାର୍ଜନ କରିଛି, ସେ ସବୁ ସମାଜର ହିତ ପାଇଁ ଉପାର୍ଜନ କରିଛି ବୋଲି ହୃଦୟଙ୍ଗମ କରିବ, ସେତେବେଳେ ସମ୍ପତ୍ତି ତ୍ୟାଗ ଏକ ଅହିଂସ ବ୍ରତ ହୋଇଯିବ। ଧନୀ-ଦରିଦ୍ର ଭିତରେ ଅହେତୁକ ପାର୍ଥକ୍ୟ ହିଁ ସଶସ୍ତ୍ର ବିଦ୍ରୋହର କାରଣ।
ଶହେ ବର୍ଷ ତଳେ ଗାନ୍ଧୀଙ୍କ ଯେଉଁ ‘ଟ୍ରଷ୍ଟିସିପ୍‌’କୁ ଏକ ମିଥ୍ ବୋଲି କୁହାଯାଉଥିଲା, ବିଶ୍ବ ଆର୍ଥିକ ଅସମାନତାର ଦୂରୀକରଣ ପାଇଁ ଏବେ ତା’ର ଆବଶ୍ୟକତା ଆସିଛି ବୋଲି କୁହାଗଲାଣି। ଏହାର କାରଣ ହେଉଛି ଅଳ୍ପ କିଛି ଧନୀ ଲୋକ ଏବେ ପୃଥିବୀର ଅର୍ଦ୍ଧାଧିକ ସମ୍ପତ୍ତିର ମାଲିକ। ‘ଟ୍ରଷ୍ଟିସିପ୍‌’ ହିଁ ତେଣୁ ଏ ବ୍ୟତିକ୍ରମର ଏକ ଉତ୍ତମ ସମାଧାନ।
ମୋ: ୯୮୬୧୪୬୯୩୨୮