ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ନିଜର ଦ୍ବିତୀୟ ମ୍ୟାଚ୍ରେ ଆସନ୍ତା ଗୁରୁବାର ନାମିବ୍ୟାକୁ ଭେଟିବାକୁ ଥିବାବେଳେ ୧୫ ତାରିଖରେ ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍ ହେବ। ତେବେ ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟବସ୍ଥା। ଜ୍ବର ଓ ପାକସ୍ତଳୀ ସଂକ୍ରମଣ କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତ ୭ ତାରିଖରେ ଭାରତର ୟୁଏସ୍ଏ ବିପକ୍ଷ ମ୍ୟାଚ୍ ସମୟରେ ବି ଅଭିଷେକ ଅସୁସ୍ଥ ଥିଲେ।
ଏହା ସତ୍ତ୍ବେ ସେ ବ୍ୟାଟିଂ କରିଥିଲେ, କିନ୍ତୁ ଫିଲଡିଂ ପାଇଁ ପଡ଼ିଆକୁ ଓହ୍ଲାଇନଥିଲେ। ତାଙ୍କ ସ୍ଥାନରେ ସଂଜୁ ସାମସନ୍ ଫିଲଡିଂ କରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ସେ ମଙ୍ଗଳବାର ଅଭ୍ୟାସ ମଧ୍ୟ କରିନଥିଲେ। ପରେ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥ ଥିବାରୁ ସେ ନାମିବ୍ୟା ବିପକ୍ଷ ମ୍ୟାଚ୍ ନ ଖେଳିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ସଂଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇପାରେ।
ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆହତ ଜନିତ ସମସ୍ୟା ଭାରତୀୟ ଦଳର ମୁଣ୍ଡବ୍ୟଥା ବଢାଇଦେଇଛି। ପ୍ରଥମେ ଓ୍ବାସିଂଟନ ସୁନ୍ଦର, ତାପରେ ହର୍ଷିତ ରାଣା ଓ ଯଶପ୍ରୀତ ବୁମରା ଏବଂ ଏବେ ବ୍ୟାଟିଂରେ ଭାରତୀୟ ଦଳର ମୁଖ୍ୟ ଅସ୍ତ୍ର ଅଭିଷେକ ଅସୁସ୍ଥ ହେବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/11/11bbs_2_11022026_112-2026-02-11-09-05-00.jpg)