ମୁମ୍ବାଇ: ବିଶ୍ବର ଏକ ନମ୍ବର ଟ୍ବେଣ୍ଟି-୨୦ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ବିଶ୍ବକପ୍‌ ପଦାର୍ପଣ ଶୂନରୁ ଆରମ୍ଭ ହୋଇଛି। ପ୍ରଥମ ବଲ୍‌ରେ ହିଁ ସେ ଆଉଟ୍‌ ହୋଇଯାଇଥିଲେ। ଏବେ କିନ୍ତୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସୂଚନା ଅନୁସାରେ ଅଭିଷେକ ବି ଠିକଠାକ୍‌ ନାହାନ୍ତି। ଏହାର ବିସ୍ତୃତ ବିବରଣୀ ‌ସେ ଦେଇନଥିଲେ ମଧ୍ୟ ଅଭିଷେକ ଅସୁସ୍ଥ ଥିବା ଅନୁମାନ କରାଯାଉଛି। ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଜ୍ବର ହୋଇଥିବାରୁ ତାଙ୍କୁ ଶନିବାରର ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଥିଲା। ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଥିଲା। 

Advertisment

ଅନ୍ୟପକ୍ଷରେ ଗୁରୁବାର ଖେଳାଯିବାକୁ ଥିବା ନାମିବ୍ୟା ବିପକ୍ଷ ମ୍ୟାଚ୍‌ ବେଳକୁ ଅନ୍ୟତମ ଅଲ୍‌ରାଉଣ୍ଡର୍‌ ୱାସିଂଟନ୍‌ ସୁନ୍ଦର ଦଳ ସହ ଯୋଗଦେବେ ବୋଲି ସୂର୍ଯ୍ୟକୁମାର ସୂଚନା ଦେଇଛନ୍ତି। ବୁମ୍‌ରା ଗୁରୁତ୍ତର ଜ୍ବରରେ ପିଡ଼ିତ ବୋଲି ସେ ସୂଚନା ଦେଇଥିଲେ। ସୁନ୍ଦର ସିଧାସଳଖ ଦିଲ୍ଲୀରେ ଦଳ ସହ ଯୋଗଦେବେ ବୋଲି ସୂର୍ଯ୍ୟ କହିଛନ୍ତି। ଗତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳା ବେଳେ ୱାସିଂଟନ୍‌ ସୁନ୍ଦରଙ୍କ ମାଂସପେଶୀ ଟାଣି ହୋଇଯିବାରୁ ସେ ବେଙ୍ଗାଲୁରୁସ୍ଥିତ ଉତ୍କର୍ଷ କେନ୍ଦ୍ରରେ ପୁନଃଥଇଥାନ ଯୋଜନାରେ ସାମିଲ ହୋଇ ଫିଟ୍‌ ଘୋଷିତ ହୋଇଛନ୍ତି। ମୋଟାମୋଟି ଭାବେ ବିଶ୍ବକପ୍‌ ସମୟରେ କିଛି ଭାରତୀୟ ଖେଳାଳି ଅସୁସ୍ଥ ଓ ଆହତ ହେବା ସାମାନ୍ୟ ଚିନ୍ତା ବଢ଼ାଇଛି।