ବ୍ରହ୍ମପୁର ବଡ଼ ମେଡିକାଲରୁ ‘କରୋନା’ ସନ୍ଦିଗ୍ଧ ଫେରାର, ଫୁଲବାଣୀରେ ୨ ସନ୍ଦିଗ୍ଧ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର/ଗଜପତି/କନ୍ଧମାଳ: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସନ୍ଦିଗ୍ଧ ଆଇସୋଲେସନ ୱାର୍ଡରୁ ଫେରାର ହୋଇଯାଇଛନ୍ତି | କରୋନା ସନ୍ଦେହରେ ଯୁବକ ଜଣକ ଗତ ୧୪ ତାରିଖରେ ଭର୍ତ୍ତି ହୋଇଥିଲେ | ତେବେ ତାଙ୍କ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରର ଆରଏମଆରସିକୁ ପଠାଯାଇଥିବା ବେଳେ ଯୁବକ ଜଣକ ଆଜି କୁଆଡେ ପଳାଇଯାଇଛନ୍ତି | ଏହି ସନ୍ଦିଗ୍ଧଙ୍କୁ ଖୋଜିବାକୁ ଏମକେସିଜି କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି | ଅନ୍ୟପଟେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ତାମିଲନାଡୁରୁ ଫେରିଥିବା ଦୁଇ ଜଣ ଯୁବକଙ୍କୁ ମଧ୍ୟ କରୋନା ସନ୍ଦେହରେ ଭର୍ତ୍ତି କରାଯାଇଛି |

ତେବେ, ପୁରୀ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ଫେରାର ହୋଇଯାଇଥିବା ସନ୍ଦିଗ୍ଧ କରୋନା ରୋଗୀଙ୍କ ବାବଦରେ ସୂଚନା ମିଳିଛି | ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ ବିରଜା ଶଙ୍କର ରଥ(ଜନସ୍ବାସ୍ଥ୍ୟ) କହିଛନ୍ତି ଯେ ନାବାଳିକା ଜଣକ କୋଲକାତା ପଳାଇଛନ୍ତି | ସନ୍ଦିଗ୍ଧ ଜଣକ ଇଉରୋପ ମହାଦେଶ ଲିଥୁଆନିଆର ଜଣେ ନାବାଳିକା। ଏହି ବିଦେଶୀ ନାବାଳିକାଙ୍କୁ ପ୍ରଥମେ ମୋଚିସାହିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନ୍ଦେହ ହେବାରୁ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ନାବାଳିକା ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡ଼ରେ ନାବାଳିକାଙ୍କ ଚିକିତ୍ସା କରାଯାଉଥିଲା। ତେବେ ଏହି ସନ୍ଦିଗ୍ଧ କରୋନା ରୋଗୀ ଓ ତାଙ୍କ ପରିବାରର ସମସ୍ତଙ୍କୁ ଚକ୍‌ମା ଦେଇ ‌ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ ।

photo-trip advisor

ଅନ୍ୟପଟେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳପ୍ରପାତ ଏବଂ ଜିରାଙ୍ଗର ତିବ୍ବତୀୟ ବୌଦ୍ଧ ମନ୍ଦିର ଅଞ୍ଚଳ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କୁ ମନା କରାଯାଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ସେହିଭଳି ଟିଉସନ ଓ କୋଚିଂ କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର