ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ୍ ଭିତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି | ହଷ୍ଟେଲ ଛାତରୁ ପଡି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି | ସେ ଜଣେ ଯୁବ ବିଜେଡ଼ି ନେତାଙ୍କ ଡ୍ରାଇଭର ଭାବେ ଗାଡି ଚଳାଉଥିଲେ | ଭୋର ସମୟରେ ଡ୍ରାଇଭର ବିଶ୍ଵଙ୍କ କ୍ଷତାକ୍ତ ମୃତଦେହ ହଷ୍ଟେଲ କଡରୁ ଉଦ୍ଧାର କରାଯାଇଥିବାବେଳେ ଏବେ ସହିଦନଗର ଥାନା ପୁଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି | ତେବେ ଛାତ୍ର ନ ହୋଇଥିବା ସତ୍ତ୍ୱେ ହଷ୍ଟେଲରେ ବିଶ୍ୱ କଣ କରୁଥିଲେ ଓ ତାଙ୍କର ମୃତ୍ୟୁ କେମିତି ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି |

Advertisment

ଅନ୍ୟପଟେ ଏହି ଘଟଣାକୁ ନେଇ ତାତିଛି ଛାତ୍ର ସଂଗଠନ ଏବିଭିପି | ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ପାତ୍ର କହିଛନ୍ତି ଯେ ପୂର୍ବରୁ ନିଶାମୁକ୍ତ କ୍ୟାମ୍ପସ ଦାବି ସାଙ୍ଗକୁ ଅଣଛାତ୍ର ମୁକ୍ତ କ୍ୟାମ୍ପସ ଦାବି କରି ଅନଶନ କରିଥିଲା ଏବିଭିପି । କିନ୍ତୁ ଏବେ ବି ନିଶା କାରବାର ଚାଲିଛି ଓ ଏଭଳି ଅଣଛାତ୍ର ଆସି ଯଦି ହଷ୍ଟେଲ କ୍ୟାମ୍ପସରେ ମୃତ୍ୟୁବରଣ କରିବେ ଓ ମାଡ ମାରିବେ ତେବେ ଛାତ୍ରଙ୍କ ପାଇଁ କ୍ୟାମ୍ପସ କେତେ ସୁରକ୍ଷିତ ରହିବ ?

ଏବାବଦରେ ଉତ୍କଳ ବିଶ୍ଵବିଦ୍ୟାଳୟ ଭିସି ଓ ପ୍ରଶାସନ ଉତ୍ତରଦାୟୀ । ତେଣୁ, ଖୁବ ଶୀଘ୍ର ପୁରୁଣା ଘଟଣା ସମେତ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେଉ । କାହା ପାଇଁ ଏହି ରୁମ ଆଲର୍ଟ ହୋଇଥିଲା, କିଏ ଏହି ଅଣଛାତ୍ରଙ୍କୁ ହଷ୍ଟେଲରେ ଜାଗା ଦେଇଥିଲା ତାହା ଜଣାପଡିବା ଆବଶ୍ୟକ । ସରକାର ମଧ୍ୟ ତ୍ୱରିତ ପଦକ୍ଷେପ ନେଉନଥିବାରୁ ଏଭଳି ଘଟୁଛି ବୋଲି କହିବା ସାଙ୍ଗକୁ ଆଗକୁ ଯଦି ସରକାର ଏ ଦିଗରେ ଚିନ୍ତା ନକରନ୍ତି ତେବେ ଏବିଭିପି ଆନ୍ଦୋଳନ ଜୋରଦାର କରିବା ନେଇ ସେ ଚେତାବନୀ ଦେଇଛନ୍ତି |