ସୋର: ସୋର ଥାନା କୁଆମରା ନିକଟରେ ପରିବହନ ବିଭାଗ ଓ ସୋର ପୁଲିସ ପକ୍ଷରୁ ଉଲ୍ଲାସଖଡ଼ଗପୁର ଛକ ନିକଟରେ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଥିଲା।  ଏହି ସମୟରେ ବାସୁଦେବପୁର ବ୍ଲକ ରାଧା ମୋହନପୁର ଗ୍ରାମର ପ୍ରତାପ କୁମାର ବିଶ୍ୱାଳ ବାଇକ ନେଇ ସୋରରୁ ଅନନ୍ତପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇ ଥିଲା। ମାତ୍ର ପ୍ରତାପ ନ ଅଟକି ଦ୍ରୁତ ଗତିରେ ସେଠାରୁ ଖସି ପଳେଇ ଯାଉଥିବା ବେଳେ କୁଆମରା ନିକଟରେ ରାସ୍ତାକଡରେ ବାଇକରେ ଠିଆ ହୋଇଥିବା ରୁପ୍ସା ଅଞ୍ଚଳର ବିଶ୍ୱନାଥ ହାଁସଦାଙ୍କ ବାଇକକୁ ଧକ୍କା ଦେଇଥିଲେ। ଫଳରେ ପ୍ରତାପ ଏବଂ ବିଶ୍ୱନାଥ ଉଭୟେ ଗୁରୁତର ଆହତ ହୋଇଥିଲେ।

Advertisment

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରତାପଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ  ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତରିତ କରାଯାଇଥିଲା।  

ପ୍ରକାଶ ଥାଉକି ବିଶ୍ଵନାଥ ଭାରତ ଫାଇନାନ୍ସରେ କାମ କରୁଥିବା ବେଳେ କମ୍ପାନୀ କାମରେ ବେଲପୁର ଗ୍ରାମକୁ ଯାଇଥିବା ବେଳେ ସେଠାରେ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଦୁର୍ଘଟଣା ପରେ ଏବେ ସେ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।