ଦେଓଗାଁ: ବର୍ତ୍ତମାନ ରାଜ୍ୟରେ ଲାଗୁ ହୋଇଛି ସୁଭଦ୍ରା ଯୋଜନା। ଏଥିରେ ସାମିଲ ହେବା ପାଇଁ ଆଧାର କାର୍ଡରେ ମୋବାଇଲ ସଂଯୋଗକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଯେଉଁ ମହିଳାଙ୍କ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ ସେମାନେ ସଂଯୋଗ କରାଇବା ପାଇଁ ବ୍ଳକ କାର୍ଯ୍ୟାଳୟ ଭିତରେ ଥିବା ଆଧାର କେନ୍ଦ୍ରକୁ ଆସୁଛନ୍ତି। ହେଲେ ଏହି କାର୍ଯ୍ୟାଳୟରେ ତାଲା ଝୁଲୁ ଥିବାରୁ ଦୂରଦୂରାନ୍ତରରୁ ଆସୁଥିବା ମହିଳାମାନେ ନିରାଶ ହୋଇ ଫେରୁଥିବା ବିଷୟରେ ଅଭିଯୋଗ କରୁଛନ୍ତି। ଦେଓଗାଁ ବ୍ଳକ ଶିରାବାହାଲ ଗାଁର ଅଞ୍ଜଳୀ ସା, ବବି ମେହେର, ମକୁନ୍ଦପୁର ପଞ୍ଚାୟତ ଭୀମଡୁଙ୍ଗୁରୀର ଗୀତାଞ୍ଜଳୀ ପୋଢ଼, ବନ୍ଧପଡ଼ା ପଞ୍ଚାୟତ ଛତାପିପଲ ଗାଁର ମୌଥିଲି ଗୁରାଣ୍ଡି, ଉଡାର ପଞ୍ଚାୟତ ଫଟାମୁଣ୍ଡା ଗାଁର ମନଦେଇ ମଲ୍ଲିକ ପରି ବ୍ଳକ କାର୍ଯ୍ୟାଳୟକୁ ଆସିଥିବା ମହୁତ ମହିଳା ଫେରିଯାଇଥିବା ଜଣାପଡ଼ିଛି।

Advertisment

  
ପ୍ରକାଶ ଥାଉକି ଦେଓଗାଁ ବ୍ଳକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଏକ କୋଠରୀରେ ଆଧାର ପଞ୍ଜିକରଣ ପାଇଁ ଏକ ଅଫିସ ଖୋଲାଯାଇଛି। ଏହି ଠାରେ ଆଧାର ସଂଯୋଗୀକରଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ଜଣେ ଯୁବକ ନିଯୁକ୍ତି ପାଇଛନ୍ତି। କିନ୍ତୁ ଗତ କିଛିଦିନ ହେଲା କୌଣସି କାରଣ ପାଇଁ କାର୍ଯ୍ୟାଳୟଟି ଠିକ ଭାବରେ ଖୋଲୁ ନ ଥିବାରୁ ଲୋକମାନେ ହଇରାଣ ହରକତ ହେଉଛନ୍ତି। ଏପରିକି ଏହି ଆଧାର କାମ କରିବା ଦାୟିତ୍ୱ ପାଇଥିବା ଯୁବକଙ୍କ ବଡ଼ ଭାଇ ସୂର୍ଯ୍ୟ ଦୀପ ୭ ଦିନ ହେଲା କାମ କରିନାହାନ୍ତି। ପରିବାର କିଛି  ସଦସ୍ୟଙ୍କୁ ଜ୍ୱର ହେଉଛି। ଆଧାର କାମ ହେଉ ନାହିଁ ବୋଲି ଖବରଟିଏ ଛାପି ଦିଅ ବୋଲି ତାତ୍ସଲ୍ୟ କରି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ କହୁଥିବାରୁ କେମିତି ଭାବରେ ଆଧାର କାର୍ଯ୍ୟ ଚାଲିଛି ତାହା ବାରି ହେଉଛି। ଏପରିକି ସରକାରୀ ସ୍ଥାନରେ ଆଧାର ଅପଡେଟ କଲେ ୫୦ ଟଙ୍କା ପଡୁଥିବା ବେଳେ ଚନ୍ଦ୍ରପୁର ଡାକୁଆ ପଡ଼ା ଛକରେ ହେଉଥିବା ଆଧାର ଅପଡେଟ କାମ ରେ ୧୫୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଏ ନେଇ ଦେଓଗାଁ ବିଡ଼ିଓ କ୍ଷମାନିଧି ଭୋଇଙ୍କୁ ପଚାରିବାରୁ  ନିୟମିତ ଭାବେ ରହିବା ପାଇଁ ନିର୍ଦେଶ ଦିଆଯିବ ବୋଲି କହିଛନ୍ତି।