ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆଦିତ୍ୟ ପଟ୍ଟନାୟକ ସର୍ବଭାରତୀୟ ଗାନ୍ଧୀବାଦୀ ସଂଗଠନ ‘ସର୍ବ ସେବା ସଂଘ’ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଚଳିତ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ପଞ୍ଚାବର ପଠାନକୋଟ ଠାରେ ଅନୁଷ୍ଠିତ ସର୍ବ ସେବା ସଂଘର ୯୦ତମ  ରାଷ୍ଟ୍ରୀୟ ଅଧିବେଶନରେ ଦ୍ୱିତୀୟ ଦିବସରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ନେଇ ଏକ ପ୍ରେସ୍‌ ଇସ୍ତାହାରରେ ସଂଘର ସେବାଗ୍ରାମ (ମହାରାଷ୍ଟ୍ର) କାର୍ଯ୍ୟାଳୟର ନିର୍ବାଚନ ଅଧିକାରୀ ଶିବ ବିଜୟ ସିଂହ ଜଣାଇଛନ୍ତି। ପୂର୍ବରୁ ସ୍ୱାଧୀନତାସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ମନମୋହନ ଚୌଧୁରୀ ଓଡ଼ିଶାରୁ ଏହି ପଦକୁ ନିର୍ବାଚିତ ହୋଇଥିବା ବେଳେ ଏବେ ଆଦିତ୍ୟ ପଟ୍ଟନାୟକ ନିର୍ବାଚିତ ହୋଇ ରାଜ୍ୟକୁ ଗର୍ବିତ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ‘ସର୍ବୋଦୟ ସମାଜ’ର ରାଷ୍ଟ୍ରୀୟ ସଂଯୋଜକ ଅଛନ୍ତି ଏବଂ ମୟୂରଭଂଜର ରାସଗୋବିନ୍ଦପୁରରେ ଥିବା ଅନ୍ତ୍ୟୋଦୟ ଚେତନା ମଣ୍ଡଳର ସେ ପ୍ରତିଷ୍ଠାତା ଅଟନ୍ତି। ତାଙ୍କ ନେତୃତ୍ୱରେ ରାସଗୋବିନ୍ଦପୁରରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ମଧ୍ୟ ଦୃଷ୍ଟିହୀନତା ନିବାରଣ କ୍ଷେତ୍ରରେ ଦେଶରେ ବିଶେଷ ଲୋକପ୍ରିୟତା ହାସଲ କରିଛି।