ଘୁ.ଉଦୟଗିରି: କେନ୍ଦ୍ର ସରକାର ଗରିବ ମୁଣ୍ଡକୁ ଛାତ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଣୟନ କରିଛନ୍ତି। ହେଲେ ଏହି ଯୋଜନାରେ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଲାଭବାନ ହେଉଥିବା ବେଳେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକଙ୍କ ଝାଟିମାଟି କୁଡ଼ିଆ ଓ ଜରିପାଲ ତଳେ ଜୀବନ ବିତୁଛି। ଏଭଳି ଏକ ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡା ପଞ୍ଚାୟତ ୧୧ ନମ୍ବର ୱାର୍ଡରେ। ଡାଡି ଗ୍ରାମର ବାଳକୃଷ୍ଣ ପ୍ରଧାନ ଝାଟିମାଟି କୁଡ଼ିଆରେକୁ ଦେଖିଲେ। ନିଜ ପରିବାରର ୪ସଦସ୍ୟ ସହିତ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି।

Advertisment

ମାଟିରେ ନିର୍ମିତ କାନ୍ଥରେ ବର୍ଷାପାଣି ପଡ଼ିପଡ଼ି କାନ୍ଥ ସବୁ ନଷ୍ଟ ହେବାକୁ ବସିଲାଣି ତ ଛାଉଣୀରେ ଢାଙ୍କିଥିବା ଛପର ମଧ୍ୟ ଫାଟି ଗଲାଣି। ଦିନହୀନ ବାଳକୃଷ୍ଣ ଆର୍ଥିକ ଅନାଟନରେ ଦିନ କାଟୁଥିବା ବେଳେ ଘର ଅବସ୍ଥା ଦେଖିଲେ ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି।ହେଲେ ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ଘର ନପାଇ ବର୍ତମାନ ନିରାଶ ହୋଇପଡିଛନ୍ତି। ବର୍ତ୍ତମାନ ପ୍ରଶାସନର କାର୍ଯ୍ୟକଳାପକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି। ପ୍ରକୃତ ହିତାଧିକାରୀମାନେ ତ ଝାଟିମାଟି, କୁଡ଼ିଆ ଓ ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି।

ତେଵେ ସରକାର କେଉଁ ଗରିବଙ୍କୁ ଛାତ ଘର ଦେଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଉଛନ୍ତି। ବାଳକୃଷ୍ଣ ନିଜେ ମଧ୍ୟ ଘରଟିଏ ପାଇଁ ବାରମ୍ବାର ଆବେଦନ କରିଛନ୍ତି କିନ୍ତୁ ଏଯାଏଁ ମିଳିପାରିନାହିଁ ବୋଲି କହିଛନ୍ତି ବାଳକୃଷ୍ଣ। ଅନ୍ୟ ପଟେ ବାଳକୃଷ୍ଣ ଜଣେ ଦିନ ମଜୁରିଆ ଶ୍ରେଣୀର ବ୍ୟକ୍ତି। ସେ କୁଲି ମଜୁରୀ କରି ଯାହାକିଛି ଵି ରୋଜଗାର କରୁଛି ସେଥିରେ ସେ ତାର ପରିବାରର ପ୍ରତିପୋଷଣ କରୁଛି। ଘରଟିଏ ତିଆରି କରିବା ତାପାଇଁ କାଠିକର ବ୍ୟାପାର। ବିଗତ ବର୍ଷ  ବର୍ଷା ସମୟରେ ଘର ଭୁଶୁଡି ପଡିଥିଲା। ନିଜେ ଜରି ପାଲ ଖଣ୍ଡେ ଆଣି ଛାଉଣୀ ଉପରେ ଢାଙ୍କି ଥିଲେ। ଏବର୍ଷ ଵି ଘରର ଅବସ୍ଥା ଅତି ଦୟନୀୟ। ଛାଉଣୀରୁ ପାଣି ପଡ଼ି ଘର ଭିତରେ ପାଣି ଭର୍ତ୍ତି ହୋଇଯାଉଛି କହିଛନ୍ତି।

ରାତି କାଟିବା ପାଇଁ ପ୍ରତିଦିନ ସ୍ତ୍ରୀ ପିଲା ଛୁଆକୁ ଧରି ୧୨ଦୁଆର ହେଉଛନ୍ତି ବାଳକୃଷ୍ଣ। କେଉଁ ସମୟରେ ଘର ଭୁଶୁଡ଼ି ପଡ଼ିବ କିଛି କହିହେବ ନାହଁ। ତେଣୁ ପ୍ରଶାସନ ଯଥାଶୀଘ୍ର ବାଳକୃଷ୍ଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘରଟିଏ ଯୋଗେଇ ଦେଲେ ବାଳକୃଷ୍ଣ ଉପକୃତ ହୁଅନ୍ତା ବୋଲି ଗ୍ରାମବାସୀ ଦାବି କରିଛନ୍ତି।