ପୁରୀ: ମହାପ୍ରସାଦ ନାଁ’ ନେଇ ମୁନାଫା କମାଇବାର ମାଧ୍ୟମ ସାଜିଛି ଅନ୍ଲାଇନ୍। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେଲ୍ ଦଣ୍ଡର ଭୟ ଦେଖାଯାଇଛି। ସେବାୟତମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ତଥାପି ଅନଲାଇନ୍ରେ ମହାପ୍ରସାଦ ନାଁ’ରେ ବ୍ୟବସାୟ କରିବାର ମୋହ ଭଙ୍ଗ ହୋଇନାହିଁ। ଗତକାଲି ପୁଣି ଏକ ସଂସ୍ଥା ସୋସିଆଲ ମିଡିଆରେ ‘ଖଜା’ ଓ ‘ନିର୍ମାଲ୍ୟ’ ପୁଡ଼ିଆର ଚିତ୍ର ପୋଷ୍ଟ କରି ଅର୍ଡର ଦେବାକୁ ନିବେଦନ କରିଛନ୍ତି। କିଛି ଅନୁଷ୍ଠାନର ଏଭଳି ମନମାନି ବିରୋଧରେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍) କର୍ମକର୍ତ୍ତା ଏବଂ ଖଜା ବ୍ୟବସାୟୀ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହରେକୃଷ୍ଣ ଟିଭିର ଫେସବୁକ ପୋଷ୍ଟରେ ଖଜାର ପ୍ରତି କେଜି ପିଛା ମୂଲ୍ୟ ସୂଚିତ ହୋଇଛି ୧୨ଶହ ଟଙ୍କା। ଯଦିଓ ପୁରୀରେ ଖଜାର ଦର ୨ଶହରୁ ଆରମ୍ଭ, କିନ୍ତୁ କିଛି ବ୍ୟକ୍ତିବିଶେଷ ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେଇ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି। ମୁଖ୍ୟ କଥା ହେଉଛି, ଉକ୍ତ ସଂସ୍ଥା ଅର୍ଡର ରଖିବା ପରେ ଯେଉଁ ଖଜାକୁ ମହାପ୍ରସାଦ କହି ଲୋକଙ୍କ ନିକଟରେ ପହଞ୍ଚାଉଛି, ଲୋକେ ହୁଏତ ବିଶ୍ବାସରେ ଏହାକୁ ମହାପ୍ରସାଦ ଭାବି ପାଉଥିବେ। ମାତ୍ର ଏହା ଯେ ଶ୍ରୀମନ୍ଦିରରୁ କିଣାଯାଇ ଭକ୍ତଙ୍କ ନିକଟରେ ପହଞ୍ଚାଯାଉଛି, ତା’ର ଗ୍ୟାରେଣ୍ଟି ଦେବ କିଏ? ଦ୍ବିତୀୟ କଥା ହେଉଛି, ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି ହେଉଥିଲେ ହେଁ, ଏହା ମହାପ୍ରସାଦ ନୁହେଁ। ତେଣୁ ବାହାରୁ ଖଜା କିଣି ନେଇ ଏହାକୁ ମହାପ୍ରସାଦ ନାଁ’ ଦେଇ ଭକ୍ତଙ୍କ ନିକଟରେ ପହଞ୍ଚାଇବା ଅର୍ଥ ଭକ୍ତଙ୍କ ଭାବାବେଗ ସହ ଖେଳିବା। ଆପ୍ର ଜିଲ୍ଲା ସଭାପତି ସଂଜୀବ ମହାନ୍ତି କହିଛନ୍ତି, ମହାପ୍ରସାଦ ନାଁ’କୁ ବ୍ୟବହାର କରି ଅନ୍ଲାଇନ୍ରେ ବ୍ୟବସାୟ କରିବା ଏବଂ ଭକ୍ତଙ୍କୁ ଠକିବା ଶ୍ରୀକ୍ଷେତ୍ରର ମର୍ଯ୍ୟାଦାକୁ ହାନି ପହଞ୍ଚାଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଗତକାଲି ଉକ୍ତ ସୋସିଆଲ୍ ସାଇଟ୍ରେ ଏହି ଅନଲାଇନ ମହାପ୍ରସାଦ ବିକ୍ରିର ବିଜ୍ଞାପନ ଦେଖିବା ପରେ ଆଜି ଆମେ ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଛୁ। ବାରମ୍ବାର ଏଭଳି ଦୃଶ୍ୟ ସାମ୍ନାକୁ ଆସୁଥିବା ସତ୍ତ୍ବେ ଏହାକୁ ରୋକିବାରେ ସାଇବର ଥାନା କାହିଁକି ଫେଲ୍ ମାରିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ସମ୍ଭବତଃ ଶ୍ରୀମନ୍ଦିର ପ୍ରଶାସନର କଥାକୁ ସାଇବର ସେଲ୍ ଗୁରୁତ୍ବର ସହ ନେଉନାହିଁ, ଅବା ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ତ୍ବରିତ ଏଥିରେ ବ୍ୟାନ ଲଗାଇବାରେ ସାଇବର ଥାନା ସଫଳ ହୋଇପାରିନାହିଁ। ସେ ଏକଥା ବି କହିଛନ୍ତି, ଅନଲାଇନରେ ମହାପ୍ରସାଦ ନାମରେ ଖଜା ବିକ୍ରିର ପ୍ରଭାବ କେବଳ ଆଧ୍ୟାତ୍ମିକ ଭାବନା ଉପରେ ପଡ଼ିବ ନାହିଁ, ବରଂ ସାଧାରଣ ଖଜା ବ୍ୟବସାୟୀଙ୍କ ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିବ। ତୁରନ୍ତ ସାଇବର ଥାନା ଏ ଦିଗରେ ତତ୍ପରତା ପ୍ରକାଶ କରୁ ବୋଲି ସେ କହିଛନ୍ତି। ଖଜା ବ୍ୟବସାୟୀ ଦେବ ପ୍ରଧାନ କହିଛନ୍ତି। ଖଜାର ଦର ସାଧାରଣରେ ୨ଶହରୁ ଆରମ୍ଭ। ମହାପ୍ରସାଦ ନାମରେ ଅନଲାଇନରେ ଖଜା କେଜି ପିଚ୍ଛା ୧୨ଶହ ଟଙ୍କା ଦରରେ ବିଜ୍ଞାପିତ କରିବା ଦ୍ବାରା ଏଠାକୁ ଆସୁଥିବା ଭକ୍ତମାନେ ସମ୍ଭବତଃ ଭାବିବେ ୨ଶହ ଟଙ୍କାରେ ମିଳୁଥିବା ଖଜା ନକଲି। ଭକ୍ତମାନେ ତ ଠକେଇର ଶିକାର ହେବେ, ଏଥିସହ ଖଜା ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହେବେ। ଏହାକୁ ତୁରନ୍ତ ବନ୍ଦ କରାନଗଲେ ଖଜା ବ୍ୟବସାୟୀମାନେ ମିଳିତ ସ୍ବର ଉଠାଇବେ ବୋଲି ସେ କହିଛନ୍ତି।