ଖୋର୍ଦ୍ଧା ଡିଭିଜନରେ ବନ ବିଭାଗର ବନୀକରଣ: ନଥିପତ୍ରରେ ସୃଷ୍ଟି ହେଉଛି ଜଙ୍ଗଲ

ଖୋର୍ଦ୍ଧା : ଖୋର୍ଦ୍ଧା ବନାଂଚଳ ଅଧୀନ ଖୋର୍ଦ୍ଧା ବନଖଣ୍ଡ ଅଧୀନ ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି । ଗୋଟିଏ ପଟେ ଜଙ୍ଗଲ ଜମିରୁ ବେଆଇନ ପଥର ମାଫିଆ ବେଧଡ଼କ ଖଣି ଖନନ ଓ ଚାଲାଣ ଜାରି ରଖିଥିବା ବେଳେ ଆରପଟେ ଜଙ୍ଗଲ ସୃଷ୍ଟି ନାମରେ ବନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଦୁଇ ଦିନ ପୂର୍ବେ ବୋଲଗଡ଼ ବ୍ଲକରେ କିଭଳି ମନରେଗା ଯୋଜନାରେ କିଭଳି ପଥପ୍ରାନ୍ତ ବନୀକରଣ ଓ ଲଣ୍ଡାପାହାଡ଼ ବନୀକରଣ ଯୋଜନାରେ ଅନିୟମିତତା ହୋଇଥିବା ଖବର ସମ୍ବାଦରେ ପ୍ରକାଶିତ ହୋଇଥିଲା । ବର୍ତମାନ ଖୋର୍ଦ୍ଧା ବନଖଣ୍ଡରେ ବର୍ଷକ ମଧ୍ୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ଓ ଏହାର ବିଭାଗୀୟ ତଥ୍ୟକୁ ନେଇ ଅନୁରୂପ ଅନିୟମିତତାର ଅଭିଯୋଗ ହୋଇଛି ।

୨୦୨୦ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅବଧି ମଧ୍ୟରେ ଖୋର୍ଦ୍ଧା ବନ ଡିଭିଜନ ମଧ୍ୟରେ ୪ଲକ୍ଷ ଚାରା ବଂଟନ କରାଯାଇଥିଲା । ବିଭାଗ ପକ୍ଷରୁ ୩ ଲକ୍ଷ ଚାରା ରୋପଣ କରାଯାଇଥିଲା । ଏଭଳି ମୋଟାମୋଟି ଭାବେ ୭ ଲକ୍ଷ ଚାରା ରୋପଣ କରାଯାଇଥିଲା ।

ସଦ୍ୟ ବିଭାଗୀୟ ସୂଚନାନୁସାରେ, ୨୦୨୦-୨୧ ବର୍ଷରେ ଭୁବନେଶ୍ୱର ବନ ସର୍କଲ ଅଧୀନ ଖୋର୍ଦ୍ଧା ବନାଂଚଳରେ ଖୋର୍ଦ୍ଧା ଡିଭିଜନ ଅଧୀନରେ ୧୯ ଫେବ୍ରୁଆରୀ ସୁଦ୍ଧା ଆସିଷ୍ଟେଡ୍ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ଯୋଜନାରେ କାମ୍ପା ପାଣ୍ଠୀରୁ ୭ଟି ଯୋଜନାରେ ୪୯୦.୫୨ ହେକ୍ଟର ଜଙ୍ଗଲ ସୃଷ୍ଟି ହୋଇଥିବାବେଳେ ଗ୍ରିନ୍ ମହାନଦୀ ମିଶନ ଅଧୀନରେ ଗୋଟିଏ ଯୋଜନାରେ ୨୬.୩୩ ହେକ୍ଟର ଓ ୨ଟି ସବୁଜ ବଳୟ ସୃଷ୍ଟି ଯୋଜନାରେ ୧୧୪.୩୦ ହେକ୍ଟର, ୨ଟି ମନରେଗା ଯୋଜନାରେ ୧୨୬.୩୫ ହେକ୍ଟର ଜଙ୍ଗଲ, ଜାତୀୟ ବନୀକରଣ ଯୋଜନାରେ ୧୩୭.୮୦ ହେକ୍ଟର ଜଙ୍ଗଲ ଏଭଳି ମୋଟ ୮୯୫.୨୦ ହେକ୍ଟର ଅଂଚଳରେ ଜଙ୍ଗଲ ସୃଷ୍ଟି ହୋଇଛି ।

ଚଳିତ ୨୦୨୧ ବର୍ଷରେ ଜାନୁଆରୀ ଓ ଫେବ୍ରୁଆରୀ ୧୯ ତାରିଖ ମଧ୍ୟରେ କାମ୍ପା, ଗ୍ରିନ୍ ମହାନଦୀ ମିଶନ, ସବୁଜ ବଳୟ ବୃଦ୍ଧି, ମନରେଗା, ଜାତୀୟ ବନୀକରଣ ପ୍ରକଳ୍ପ, ଲଣ୍ଡା ପାହାଡ଼ ବୃକ୍ଷରୋପଣ ଆଦି ୧୩ଟି କୃତ୍ରିମ ଜଙ୍ଗଲ ସୃଷ୍ଟି କାର୍ଯ୍ୟରେ ୨୪୫.୭୮ ହେକ୍ଟର ଜଙ୍ଗଲ ବୃଦ୍ଧି ଘଟିଛି । ପଥପ୍ରାନ୍ତ ବନୀକରଣରେ ୨୭ଟି ସ୍ଥାନରେ ୧୧୨ କିମି ବୃକ୍ଷରୋପଣ କରାଯାଇଛି । ଏଭଳି ମୋଟାମୋଟି ଭାବେ ବିଭାଗୀୟ ତଥ୍ୟରୁ ବର୍ତମାନ ସୁଦ୍ଧା ପ୍ରାୟ ୨ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଅନୁଦାନରେ ୧ହଜାର ହେକ୍ଟର ଅଂଚଳରେ ଜଙ୍ଗଲ ସୃଷ୍ଟି ହୋଇସାରିଛି ।
ଯଦି ସରକାରୀ ସ୍ୱୀକୃତ ନିୟମାନୁସାରେ, ପ୍ରତି ହେକ୍ଟରରେ ଅଢ଼େଇ ବର୍ଗ ମିଟର ବ୍ୟବଧାନରେ ଗୋଟିଏ ଗଛ ହିସାବରେ ୧୬୦୦ ଗଛ ଲଗାଯାଇପାରିବ ତେବେ ୪୩୭ ହେକ୍ଟର ଅଂଚଳରେ ଗଛ ଲାଗିବା କଥା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତମାନ ଏହାର ଦୁଇଗୁଣ ଅଂଚଳରେ ଜଙ୍ଗଲ ସୃଷ୍ଟି ହୋଇଯାଇଥିବା ବିଭାଗୀୟ ତଥ୍ୟରେ ଦର୍ଶାଯାଇଛି ।

ଖୋର୍ଦ୍ଧା ଡିଭିଜନରେ କେବଳ ଏହାନୁହେଁ ବେଆଇନ ଖନନ ପ୍ରତି ବନ ବିଭାଗର ନିଷ୍କ୍ରିୟତା, ବନ୍ୟଜନ୍ତୁ ବିଶେଷତଃ ହାତୀଙ୍କ ଅସ୍ୱାଭିବ ମୃତ୍ୟୁ, ଜଙ୍ଗଲ କ୍ଷୟ, ବୃକ୍ଷରୋପଣ ଓ ବନୀକରଣ ଆଦି ସମସ୍ତ କାର୍ଯ୍ୟରେ ବନ ବିଭାଗର ଅନିୟମିତତା ପ୍ରାୟତଃ ସ୍ପଷ୍ଟ । ଖୋର୍ଦ୍ଧା ଡିଭିଜନ ଅଧୀନରେ ବିଭିନ୍ନ ପାଣ୍ଠୀରୁ କରାଯାଇଥିବା ବନୀକରଣ ଯୋଜନାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ଦୁର୍ନୀତି ପଦାରେ ପଡ଼ିପାରନ୍ତା ବୋଲି ଖୋର୍ଦ୍ଧାର ବିଭିନ୍ନ ପ୍ରକୃତିପ୍ରେମୀ, ପ୍ରକୃତିପ୍ରେମୀ ସଂଗଠନ ପକ୍ଷରୁ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର