ଭାରତ ବିରୋଧରେ ଷଡ଼ଯନ୍ତ୍ର: ସିପିଇସିରେ ଆଫଗାନିସ୍ତାନକୁ ସାମିଲ କରିବାକୁ ଯୋଜନା

ବେଜିଂ: ଚୀନ୍‌ ତା’ର ବହୁଚର୍ଚ୍ଚିତ ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ (ଓବିଓଆର୍‌) ପ୍ରକଳ୍ପରେ ଭାରତକୁ ସାମିଲ କରିବାରେ ବ୍ୟର୍ଥ ହେବାପରେ ଏବେ ତା’ର ବାଣିଜ୍ୟିକ ବିସ୍ତାର ଯୋଜନାକୁ ଯେନତେନ ପ୍ରକାରେ କାର୍ଯ୍ୟକାରୀ କରିବାକୁ ଚାହୁଛି। ଭାରତକୁ ସମସ୍ୟାରେ ପକାଇବାକୁ ଚୀନ୍‌ ଏବେ ପାକିସ୍ତାନ ସହ ମିଶି ଏ ଦିଗରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରୁଛି। ୫୭ ବିଲିୟନ ଡଲାର ମୂଲ୍ୟର ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର (ସିପିଇସି)ରେ ଆଫଗାନିସ୍ତାନକୁ ସାମିଲ କରିବାକୁ ଏବେ ଜୋର୍‌ସୋରରେ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଚୀନ୍‌ ଓ ପାକିସ୍ତାନ ସହ ଆଫଗାନିସ୍ତାନର ସଂପର୍କରେ ସୁଧାର ଆଣିବାକୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଯାଇଛି ।

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯୪୭ରୁ ହିଁ ସ୍ୱାଭାବିକ ସଂପର୍କ ନାହିଁ। ଆମେରିକା ଓ ଆଫଗାନ ସେନାର ମିଳିତ କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ବିରୋଧ କରି ଆସିବା ସହ ତାଲିବାନୀ ଆତଙ୍କବାଦୀଙ୍କୁ ସମର୍ଥନ ଦେଇଚାଲିଛି। ଏଭଳି ସ୍ଥିତିରେ ଚୀନ୍‌ ଓ ପାକିସ୍ତାନର ପ୍ରସ୍ତାବ ନେଇ ଆଫଗାନିସ୍ତାନର ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଚୀନ୍‌ କହିଛି ଯେ ଆଫଗାନିସ୍ତାନ ସରକାର ନିଜ ନାଗରିକଙ୍କ ଜୀବନଧାରଣ ଶୈଳିରେ ପରିବର୍ତ୍ତନ ଆଣିବା ଜରୁରୀ। ଏଥିପାଇଁ ବେଜିଂ ସବୁ ସହାୟତା କରିବାକୁ ତୟାର ବୋଲି ଚୀନ୍‌ କହିଛନ୍ତି। ଚୀନ୍‌ ପାକିସ୍ତାନ ଆର୍ଥିକ କରିଡର ବିବାଦୀୟ ପାକ୍‌ ଅଧିକୃତ କଶ୍ମୀର ଦେଇ ଯାଇଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଆସିଛି ଏବଂ ଏହାର ପ୍ରତିବାଦ କରି ଚୀନ୍‌ର ଓବିଓଆର୍‌ ଯୋଜଜନାରେ ସାମିଲ ହୋଇନାହିଁ। ଅନ୍ୟପକ୍ଷରେ ସିପିଇସି ପ୍ରକଳ୍ପରେ ମଧ୍ୟ ବ୍ୟାପକ ଦୁନୀତି ଯୋଗୁଁ ଚୀନ୍‌ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର