ନୂଆଦିଲ୍ଲୀ: ୧୩ ଡିସେମ୍ବର ୨୦୦୧ରେ, ସଂସଦ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଡିସେମ୍ବର ୧୩ ଦିନ ସକାଳେ ଜୈଶ-ଏ-ମହମ୍ମଦର ୫ ଆତଙ୍କବାଦୀ ସଂସଦରେ ଆକ୍ରମଣ ପାଇଁ ଏକ ଧଳା କାରରେ ପହଞ୍ଚିଥିଲେ। ସେମାନଙ୍କୁ ମୁକାବିଲା କରିବାକୁ ଯାଇ ୯ ଜଣ ଯବାନ ସହିଦ ହୋଇଯାଇଥିଲେ | ସୁରକ୍ଷା କର୍ମୀମାନେ ସମସ୍ତ ପାଞ୍ଚ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ତା’ପରେ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁକୁ ୯ ଫେବୃଆରୀ ୨୦୧୩ ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ଅଫଜଲକୁ ଫାଶୀ ଦେବାକୁ କେଉଁ ସବୁ ସାବଧାନତା ଅବଲମ୍ବନ କରାଯାଇଥିଲା ଓ କେମିତି ଫାଶୀ ଦିଆଯାଇଥିଲା ସେ ନେଇ ତତ୍କାଳୀନ ଗୃହ ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ ତାଙ୍କ ଆତ୍ମଜୀବନୀ 'ଫାଇଭ ଡିକେଡ୍ସ ଇନ ପଲିଟିକ୍ସ'ରେ ବର୍ଣ୍ଣନା କରିଥିଲେ |
ସିନ୍ଦେ ଲେଖିଛନ୍ତି ଯେ ଅଫଜଲ ଗୁରୁକୁ ଫାଶୀ ହେବାର ତାରିଖ ପୂର୍ବରୁ ୮ ଫେବୃଆରୀ ୨୦୧୩ ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଏହାକୁ ଗୋଟିଏ ଦିନ ସ୍ଥଗିତ ରଖିବାକୁ ପଡିଲା। ସିନ୍ଦେ ଲେଖିଛନ୍ତି ଯେ ଅଫଜଲକୁ ଫାଶୀ ଖବର ଜାମ୍ମୁ କାଶ୍ମୀରରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ସରକାର ଅନୁଭବ କରିଥିଲେ । ସେଠାରେ ଏକ ଆଇନ ଶୃଙ୍ଖଳା ଚ୍ୟାଲେଞ୍ଜ ହୋଇପାରେ, ତେଣୁ ଫାଶୀକୁ ଗୋଟିଏ ଦିନ ସ୍ଥଗିତ ରଖିବାକୁ ପଡିଥିଲା | ସିନ୍ଦେ ଆହୁରି ଲେଖିଛନ୍ତି ଯେ, ଗୋପନୀୟତା ବଜାୟ ରଖିବା ପାଇଁ ୮ ଫେବୃଆରୀ ସକାଳେ ଗୃହ ମନ୍ତ୍ରଣାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଥିଲା ଯେଉଁଥିରେ ତିହାର ଜେଲର ଡିଜି ଭିମାଲା ମେହେରା, ତତ୍କାଳୀନ ଗୃହ ସଚିବ ଆର.କେ ସିଂ, ତିହାରର ଜେଲର ସୁନୀଲ ଗୁପ୍ତା ଉପସ୍ଥିତ ଥିଲେ। ମୁଁ ସେମାନଙ୍କୁ ବାରମ୍ବାର ପଚାରିଲି ସେମାନେ ଫାଶୀ ଦେବା ବିଷୟରେ ନିଶ୍ଚିତ କି? ସମସ୍ୟାଟି ଥିଲା ଯେ ତିହାର ଜେଲରେ କୌଣସି ନିୟମିତ ଜହଲାଦ ନଥିଲେ। ତେବେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜେଲର କହିଥିଲେ । ଏହା ପରେ ଆମେ ଆଗକୁ ବଢିବାକୁ ସ୍ଥିର କଲୁ ଏବଂ ଫେବୃଆରୀ ୯ ରେ ତିହାର ଜେଲ ପ୍ରଶାସନର ଜଣେ ଅଧିକାରୀ ଅଫଜଲ ଗୁରୁକୁ ଫାଶୀ ଦେଇଥିଲେ।
ଯେତେବେଳେ ୯ ଫେବୃଆରୀ ୨୦୧୩ରେ ଅଫଜଲକୁ ଗୁପ୍ତରେ ତିହାର ଜେଲରେ ଫାଶୀ ଦେବାକୁ ନିଷ୍ପତ୍ତି ନିଆଗଲା, ଅଫଜଲ ଶେଷ ଇଚ୍ଛାରେ କୁରାନ ମାଗିଥିଲେ। ଏହା ପରେ ତାଙ୍କୁ ନିର୍ଦ୍ଧାରିତ ସମୟରେ ଫାଶୀ ଦିଆଯାଇଥିଲା। ସିନ୍ଦେ ଲେଖିଛନ୍ତି ଯେ ଅଫଜଲ ସମସ୍ତ ଆଇନଗତ ଅଧିକାର ଶେଷ କରି ଦେଇଥିଲା, ତେଣୁ ଫାଶୀ ଦିଆଯିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/13/MyYJ2ie40ZCYyVRrWmSz.jpg)