ହଜି ଯାଉଥିବା ଖୁସି ପୁଣି ଫେରିଲା: ୨୫ ଦିନ ପରେ ଘରକୁ ଫେରିଲେ ଜେଜେ ଓ ଜେଜେମା’, କରୋନାକୁ ହରାଇ ଆମ୍ବୁଲାନ୍ସରୁ ଓହ୍ଲାଇ ନାତିକୁ ଖୋଜିଲେ ଏହି ଦମ୍ପତି
କୋଟାୟମ୍: କରୋନା ଭାଇରସ୍ ସାରା ବିଶ୍ବବାସୀଙ୍କ ଆଖିରେ ଦୁଃଖର ଲୁହ ଭରି ଦେଇଥିବା ବେଳେ କେରଳର କୋଟାୟମ୍ର ଦୁଇ ବୟସ୍କ ପତି-ପତ୍ନୀଙ୍କ ଆଖିରେ ଖୁସିର ଲୁହ ଭରି ଦେଇଛି। ମହାମାରୀ କରୋନା କବଳରୁ ନିଜକୁ ମୁକ୍ତ କରିବାରେ ୯୩ ବର୍ଷିଅ ଥୋମାସ୍ ଓ ତାଙ୍କ ପତ୍ନୀ ମାରିଆମ୍ମା ହେଉଛନ୍ତି ଦେଶର ପ୍ରଥମ ବୟସ୍କ ବ୍ୟକ୍ତି। କରୋନା ଦ୍ବାରା ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଏହି ଦୁଇ ଭାଗ୍ୟଶାଳୀ ପତି-ପତ୍ନୀ ୨୫ ଦିନ କାଳ ହସ୍ପିଟାଲ୍ରେ ରହିବା ପରେ ପଠାନମିଟର ରାନିଠାରେ ଥିବା ନିଜ ଘର ପଟାଇଲ୍ ହାଉସ୍ରେ ପହଞ୍ଚିବା ପରେ ପ୍ରଥମେ କାହାକୁ ଖୋଜିଲେ ଜାଣନ୍ତି? ତାଙ୍କ ନାତି ରିଜୋମୋନଙ୍କୁ।
ଘରେ ପାଦ ଦେବା ପରେ ଥୋମାସ୍ ନିଜ ଭାବପ୍ରବଣତାକୁ ଆୟତ୍ତ କରି ନପାରି କାନ୍ଦ କାନ୍ଦ ହୋଇ ପଚାରି ପକାଇଲେ ‘ରିଜୋମୋନ। ମୋ ରିଜୋ କାଇଁ?’ ଆମ୍ବୁଲାନ୍ସରୁ ପାଦ କାଢ଼ିବା ମାତ୍ରେ ସେ ପ୍ରଥମେ ନିଜ ନାତିକୁ ଖୋଜିଥିଲେ।
କେବଳ ପତି-ପତ୍ନୀ ନୁହଁନ୍ତି ଇଟାଲିରୁ ଫେରିଥିବା ଇବ୍ରାହମ୍ଙ୍କ ପୂରା ପରିବାର ଲୋକ କରୋନା ଦ୍ବାରା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ପୂର୍ବରୁ ଇବ୍ରାହମ୍ଙ୍କୁ ପୁଅ ମୋନ୍ସି(୫୫), ତାଙ୍କ ପତ୍ନୀ ରିମାନି ମୋନେ୍ସି(୫୩) ଓ ନାତି ରିଜୋ ଏପରି ଏକ ମାରାତ୍ମକ ରୋଗ କବଳରୁ ଅଳ୍ପ କେଇ ଦିନ ତଳେ ମୁକ୍ତ ହୋଇଛନ୍ତି। ଯେତେବେଳେ ଘରର ସବୁଠାରୁ ବୟସ୍କ ଜେଜେ ଓ ଜେଜେମା’ ଘରକୁ ଫେରି ଆସିଲେ ହଜି ଯାଉଥିବା ପରିବାରର ଖୁସି ପୁଣି ଥରେ ଫେରିଆସିଲା!