ରାଉରକେଲା: ସହରର ‘ଆହାର‘ କେନ୍ଦ୍ର। କେତେବେଳେ ଖାଦ୍ୟର ମାନ, ପାଣି, ପରିମଳ ତ ଅନ୍ୟ କେତେବେଳେ ଦୁଇ ପ୍ରକାର ଥାଳିରେ ଭୋଜନ ପରଷାକୁ ନେଇ ବିବାଦ ଉପୁଜିଛି। ପୂର୍ବରୁ ଆହାର ଥାଳିପିଛା ୨୦ ଟଙ୍କା ଖର୍ଚ୍ଚ ହେଉଥିଲେ। ସରକାର ବହନ କରୁଥିଲେ ୧୫ ଟଙ୍କା, ହିତାଧିକାରୀ ଦେଉଥିଲେ ୫ ଟଙ୍କା। ଏବେ ଥାଳି ପିଛା ୨୭ ଟଙ୍କାକୁ ବୃଦ୍ଧି ହୋଇଛି। ସରକାର ବହନ କରୁଛନ୍ତି ୨୨ ଟଙ୍କା। ହିତାଧିକାରୀ ଦେଉଛି ୫ ଟଙ୍କା। ଥାଳି ପିଛା ୭ ଟଙ୍କା ବୃଦ୍ଧି କରାଯାଇଥିଲେ ହେଁ, ଖାଦ୍ୟର ମାନ ବଢ଼ିନି। ଏମିତି ଅଭିଯୋଗ କରିଛନ୍ତି ‘ଆହାର’ କେନ୍ଦ୍ରକୁ ‌ଭୋଜନ କରିବାକୁ ଆସୁଥିବା ହିତାଧିକାରୀ। ସହରର ଗୋଟିଏ କି ଦୁଇଟି କେନ୍ଦ୍ରରେ ୬ଟି କେନ୍ଦ୍ରରେ ସମାନ ସ୍ଥିତି। ସହରର ନୂଆବସ୍‌ ଷ୍ଟାଣ୍ଡ, ସେକ୍ଟର-୨ ସରକାରୀ ବସଷ୍ଟାଣ୍ଡ, ଆଇଜିଏଚ୍‌ ସମ୍ମୁଖ ମୁଣ୍ଡାମାର୍କେଟ, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌), ପାୱାର ହାଉସ୍‌ରୋଡ଼ ଓ ବେଦବ୍ୟାସରେ ଦିନକୁ ୫ ହଜାର ୨୦୦ ହିତାଧିକାରୀଙ୍କୁ ଛୋଟ ଥାଳିରେ ୫ ଟଙ୍କା ଓ ବଡ଼ଥାଳିରେ ୧୦ ଟଙ୍କାରେ ଭାତ, ଡାଲ୍‌ମା ଓ ଆଚାର ଦିଆଯାଉଛି। ଏ ବାବଦରେ ମାସକୁ ୪୨ ଲକ୍ଷ ୧୨ ହଜାର ଟଙ୍କା ଖର୍ଚ୍ଚ ହେଉଛି। 

Advertisment

ପୂର୍ବରୁ ଖାଦ୍ୟର ମାନ ଯାଞ୍ଚ କରୁଥିବା ପ୍ରତ୍ୟେକ ଆହାର କେନ୍ଦ୍ର ପାଇଁ ଜଣେ ଲେଖାଏଁ ଇନ୍‌ଚାର୍ଜ ରହୁଥିଲେ। ଗତକିଛି ମାସ ହେବ ଇନ୍‌ଚାର୍ଜ ନଥିବାରୁ ଖାଦ୍ୟର ମାନ ଯାଞ୍ଚ ହେଉନି। ସେମିତି ଆର୍‌ଜିଏଚ୍‌କୁ ଦୈନିକ ୧୩୦୦, ନୂଆ ବସ୍‌ଷ୍ଟାଣ୍ଡକୁ ୯୦୦, ପାୱାର ହାଉସ୍‌ ରୋଡ଼କୁ ୯୦୦, ବେଦବ୍ୟାସକୁ ୧୦୦୦, ଆଇଜିଏଚ୍‌ ସମ୍ମୁଖ ମାର୍କେଟକୁ ୬୦୦, ସେକ୍ଟର-୨ ସରକାରୀ ବସ୍‌ଷ୍ଟାଣ୍ଡକୁ ୫୦୦ ଲେଖାଏଁ ଭୋଜନ ଯୋଗାଇ ଦିଆଯାଉଛି। ବାସ୍ତବରେ ଏସବୁ ଆହାର କେନ୍ଦ୍ରରେ ଏତିକି ସଂଖ୍ୟାରେ ଟୋକନ୍‌ (ଆହାର ଥାଳି) ଯାଉଛି କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବପରି ଆର୍‌ଏମ୍‌ସି ଦାୟିତ୍ବରେ ଥିବା ଅଧିକାରୀଙ୍କ ପକ୍ଷରୁ ନିୟମିତ ଯାଞ୍ଚ ସତ୍ୟତା ସାମ୍ନାକୁ ଆସିପାରନ୍ତା। ବର୍ଷରେ ଥରେ ଖାଦ୍ୟ ପ୍ରସ୍ତୁତିକାରୀ ସଂସ୍ଥାକୁ ପରିବର୍ତ୍ତନ କରି ନୂଆ ସଂସ୍ଥାକୁ ଦାୟିତ୍ବ ଦେବାର ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ରାଉରକେଲା‌ରେ ଏହା ବ୍ୟତିକ୍ରମ ଦେଖାଯାଇଛି। 

ଗତ ତିନି ତଳେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ଆର୍‌ଏମ୍‌ସି ଡେପୁଟି କମିସନର ଅଜିତ ତ୍ରିପାଠୀଙ୍କୁ ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ରରେ ଯାଞ୍ଚ କରିବା ସହ ଦୁଇ ପ୍ରକାର ଥାଳି ହଟାଇବାକୁ ତାଗିଦ୍‌ କରିଥିଲେ। ବସ୍‌ଷ୍ଟାଣ୍ଡରେ ହଟିଥିଲେ ହେଁ, ସହରର ଅନ୍ୟ କାହାର କେନ୍ଦ୍ରରେ ଏଯାଏଁ ହଟିନାହିଁ। ଏ ସଂକ୍ରାନ୍ତରେ ଆର୍‌ଏମ୍‌ସି ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ରାମଚନ୍ଦ୍ର ଗିରି କହିଛନ୍ତି, ସମସ୍ତ ଆହାର କେନ୍ଦ୍ରର କର୍ମଚାରୀ ଓ ଖାଦ୍ୟ ପ୍ରସ୍ତୁତିକାରୀ ସଂସ୍ଥାକୁ ନିକଟରେ ଡାକି ବୈଠକ କରାଯାଇଥିଲା। ପେଟପୂରା ଖାଇବାକୁ ଦେବାକୁ କୁହାଯାଇଥିଲା। ଯଦି ନିମ୍ନମାନର ଖାଦ୍ୟ ପରଷା ଯାଉଥିବ, ତେବେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃ‌ଷ୍ଟି ଆକର୍ଷଣ କରାଯିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ୍ କରାଯାଇଥିଲା।