ହାଇଦ୍ରାବାଦ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ‘ଆଇ.ଟି.’ ମନ୍ତ୍ରୀ କେ.ଟି. ରାମାରାଓ ତାଙ୍କ ପ୍ରତି ଲେଖିଥିବା ଖୋଲା ଚିଠିରେ ‘ବିଜେପି’ର ଅନ୍ୟାୟ କଥା ଉଲ୍ଲେଖ କରିଛନ୍ତି।
‘ବିଜେପି’ ତେଲେଙ୍ଗାନା ଜନସାଧାରଣଙ୍କ ମଧ୍ୟରେ ଘୃଣା ମନୋଭାବ ବିସ୍ତାର କରୁଛି ବୋଲି ଉକ୍ତ ପତ୍ରରେ କେ.ଟି. ରାମାରାଓ ଲେଖିଛନ୍ତି। ସେ ଅଭିଯୋଗ କରିଛନ୍ତି କି, ତେଲେଙ୍ଗାନାକୁ ଦେଇଥିବା ପ୍ରତିଶ୍ରୁତିରୁ ‘ବିଜେପି’ ଗୋଟିଏ ସୁଦ୍ଧା ପୂରଣ କରି ନ ଥିବା ବେଳେ ଗୁଜରାଟ ଭଳି ‘ବିଜେପି’ ଶାସିତ ଅଞ୍ଚଳରେ ତତ୍କ୍ଷଣାତ୍ ସମସ୍ତ ଆବଶ୍ୟକତା ପୂରଣ କରୁଛି।
/sambad/media/post_attachments/wp-content/uploads/2022/05/ktr.jpg)
କେନ୍ଦ୍ରରେ ‘ବିଜେପି’ ନେତୃତ୍ବାଧୀନ ସରକାର ଏବଂ ତେଲେଙ୍ଗାନା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଦର୍ଶାଇ ସେ ଗୃହମନ୍ତ୍ରୀଙ୍କୁ ୨୭ଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ, ଆମେ ତେଲେଙ୍ଗାନାବାସୀଙ୍କ ଅଧିକାର ପାଇଁ ସଂଗ୍ରାମ କରିବୁ ଏବଂ ‘ଆନ୍ଧ୍ରପ୍ରଦେଶ ପୁନଃସଙ୍ଗଠନ ଆଇନ’ ଅନୁସାରେ ଆମର ଭାଗ ଦାବି କରିବୁ।
ଉଲ୍ଲେଖଯୋଗ୍ୟ, କେ.ଟି. ରାମାରାଓଙ୍କ ଖୋଲା ଚିଠି ପ୍ରତି ଗୃହମନ୍ତ୍ରୀ ଶାହ କିଂବା ‘ବିଜେପି’ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।
ଦିନିକିଆ ତେଲେଙ୍ଗାନା ଗସ୍ତରେ ଗୃହମନ୍ତ୍ରୀ ଶାହ ‘ନ୍ୟାସ୍ନାଲ୍ ସାଇବର୍ ଫୋରେନ୍ସିକ୍ ଲାବ୍ରଟରି’ ଉଦ୍ଘାଟନ କରିବା ପରେ ମାସେବ୍ୟାପୀ ଚାଲିଥିବା ‘ଦ୍ବିତୀୟ ପର୍ଯ୍ୟାୟ ପ୍ରଜା ସଂଗ୍ରାମ ଯାତ୍ରା’ର ଅନ୍ତିମ ଦିନରେ ଉଦ୍ବୋଧନ ଦେବେ।