ପୁଣି ଥରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଅଜିତ ପାୱାର, ଆଦିତ୍ୟ ଠାକରେ କ୍ୟାବିନେଟ୍ ମନ୍ତ୍ରୀ

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରାଷ୍ଟ୍ରୀୟ କଂଗ୍ରେସ ଦଳ (ଏନସିପି) ନେତା ଅଜିତ ପାୱାର।  ସେ‌ାମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ସେ । ତାଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ, ଅମିତ ବିଳାସରାଓ ଦେଶମୁଖ, ଏନ୍‌ସିପି ନେତା ନୱାବ ମଲ୍ଲିକ ପ୍ରମୁଖ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଠାକରେ ମଧ୍ୟ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଛନ୍ତି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିବା ଆଦିତ୍ୟ ତାଙ୍କ ବାପାଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନଙ୍କୁ ମଧ୍ୟ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି।

ସୋମବାର ରାଜ୍ୟପାଳ ବିଏସ୍‌ କୋଶ୍ୟାରି ମହାରାଷ୍ଟ୍ର ବିଧାନସଭାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ  ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କ ସମେତ ୩୪ଜଣ କ୍ୟାବିନେଟ୍ ଓ ରାଜ୍ୟ ପାହ୍ୟାର ମନ୍ତ୍ରୀଙ୍କୁ  ଶପଥ ପାଠ କରାଇଛନ୍ତି। ନଭେମ୍ବର ୨୮ ତାରିଖରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୩୨ ଦିିନ ପରେ ଆଜି ସେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମୁଦାୟ ୪୨ ଜଣ ମନ୍ତ୍ରୀ ରହିପାରିିବେ।

ଉଲ୍ଳେଖଯୋଗ୍ୟ, ପୂର୍ବରୁ ଚଳିତବର୍ଷ ନଭେମ୍ବର ୨୩ରୁ ୨୬ ତାରିଖ ମଧ୍ୟରେ ଦେବେନ୍ଦ୍ର ଫଡ୍‌ନାଭିସଙ୍କ ନେତୃତ୍ବାଧୀନ ବିଜେପି-ଏନ୍‌ସିପି ସରକାର ସମୟରେ ୮୦ ଘଣ୍ଟାରୁ କମ୍‌ ସମୟ ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ପାୱାର। 

Times of India

ପୂର୍ବରୁ ନଭେମ୍ବର ମାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନାଭିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ କରିବା ଘଟଣା ସଭିଁଙ୍କୁ ଚକିତ କରିଥିଲା। ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଦଳ ବହୁମତ  ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଶିବସେନା ପକ୍ଷରୁ ଉଦ୍ଧବ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାବି କରାଯାଇଥିଲେ ବି ଏହାକୁ ମାନି ନଥିଲା ବିଜେପି। ଏହାପରେ ଶିବସେନା କଂଗ୍ରେସ ଓ ଏନ୍‌ସିପିର ସହାୟତା ନେଇ ସରକାର ଗଠନ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ରାତିକ ମଧ୍ୟରେ ଖେଳ ଓଲଟି ଯାଇଥିଲା। ଅଜିତ ପାୱାରଙ୍କ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌। ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପି ଆସ୍ଥା ଭୋଟ୍‌ ହାରିବା ପରେ ଉଦ୍ଧବ ଠାକ୍‌ରେ ମେଣ୍ଟ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର