କୁଖ୍ୟାତ ଆତଙ୍କବାଦୀ ଅଲ ଜଓ୍ବାହିରି ମୃତ,  ଅଲକାଇଦାରେ ନେତୃତ୍ବ ସଂକଟ

ନୂଆଦିଲ୍ଲୀ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଇଦାର ସହ ପ୍ରତିଷ୍ଠାତା ଆଇମାନ ଅଲ ଜଓ୍ବାହିରି ମୃତ୍ୟୁବରଣ କରିଛି । ସେ ସ୍ବାଭାବିକ ଭାବେ ମୃତ୍ୟୁବରଣ କରିଛି ବୋଲି ଆରବ ନ୍ୟୁଜ୍ କହିଛି ।

ତେବେ ତାହାର ମୃତ୍ୟୁପରେ ଅଲ କାଇଦାରେ ନେତୃତ୍ବ ସଂକଟ ଦେଖାଦେଇଛି । କାରଣ ବରିଷ୍ଠତା ଦୃଷ୍ଟିରୁ ତା ତଳକୁ ଥିବା ଦୁଇଜଣ କମାଣ୍ଡର ପୂର୍ବରୁ ହିଁ ମୃତ୍ୟୁବରଣ କରିସାରିଛନ୍ତି । ଗତ ବର୍ଷ ଆମେରିକାର ଏକ ଆତଙ୍କ ନିରୋଧୀ ଅପରେସନରେ ଓସାମା ବିନ ଲାଡେନର ପୁଅ ହାମଜା ବିନ ଲାଡେନ ମୃତ୍ୟୁବରଣ କରିଥିଲା । ସେହିପରି ଗତ ଅଗଷ୍ଟରେ ଅଲକାଇଦାର ୨ ନମ୍ବର କମାଣ୍ଡର ଅବଦୁଲ୍ଲା ଅହମ୍ମଦ ଅବଦୁଲ୍ଲାକୁ ଇସ୍ରାଏଲ ସେନା ମାରିଦେଇଥିଲା । ଏବେ ଜଓ୍ବାହିରିର ମୃତ୍ୟୁ ଅଲକାଇଦାକୁ ନେତୃତ୍ବ ସଂକଟ ମଧ୍ୟକୁ ଠେଲିଦେଇଛି ।

ଜଓ୍ବାହିରି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନ ସହ ମିଶି ଅଲ କାଇଦା ପ୍ରତିଷ୍ଠା କରିଥିଲା । ଏହି ସଂଗଠନ ନବେ ଦଶକରେ କେନିଆଠାରେ ଥିବା ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରି ଚର୍ଚ୍ଚାକୁ ଆସିଥିଲା । ପରେ ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କ ସ୍ଥିତ ବିଶ୍ବ ବାଣିଜ୍ୟ କେନ୍ଦ୍ର ଟାଓ୍ବାର ଉପରେ ଆକ୍ରମଣ କରି ତାହାକୁ ଧରାଶାୟୀ କରିଦେଇଥିଲା । ଏହି ଘଟଣା ସମଗ୍ର ବିଶ୍ବର ଇତିହାସକୁ ଏକ ନୂଆ ମୋଡ଼ ଦେଇଥିଲା ।

ସମ୍ବନ୍ଧିତ ଖବର