‘ଏଲିଅନ୍’ ଫ୍ରାଞ୍ଚାଇଜି ହେଉଛି ସାଇନ୍ସ-ଫିକ୍ସନ୍ (କାଳ୍ପନିକ-ବିଜ୍ଞାନ) ସିନେମା ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳ। ଗତ ୪୫ ବର୍ଷରେ ଏହା ଅଧୀନରେ ଛଅଟି ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଛି। ୧୯୭୯ର ପ୍ରଥମ ସିନେମା ‘ଏଲିଅନ୍’ (ନିର୍ଦେଶକ: ରିଡ୍ଲି ସ୍କଟ୍) ଓ ୧୯୮୬ରେ ଆସିଥିବା ତା’ ପରବର୍ତ୍ତୀ ଭାଗ ‘ଏଲିଅନ୍ସ’ (ନିର୍ଦେଶକ: ଜେମ୍ସ କ୍ୟାମେରନ୍) ଏହି ଶୃଙ୍ଖଳର ଦୁଇଟି ‘ମାଷ୍ଟର୍ପିସ୍’ ଭାବରେ ପରିଗଣିତ ହେଉଥିବା ବେଳେ ଜଣେ ନୂଆ ନିର୍ଦେଶକ ଏହି ଦୁଇ ସିନେମା ମଧ୍ୟବର୍ତ୍ତୀ କାଳକୁ ନେଇ ସପ୍ତମ ସିନେମାର ପରିକଳ୍ପନା କରିବା ନିଶ୍ଚିତ ଭାବେ ଏକ ସାହସିକ ପଦକ୍ଷେପ। ରିଡ୍ଲି ସ୍କଟ୍ ଓ ଜେମ୍ସ କ୍ୟାମେରନ୍ଙ୍କ ପରି କିଂବଦନ୍ତୀୟ ନିର୍ଦେଶକ ନିଜନିଜର ସ୍ବତନ୍ତ୍ର ଶୈଳୀ ଜରିଆରେ ଦର୍ଶକଙ୍କ ମନରେ ଗଭୀର ରେଖାପାତ କରିଛନ୍ତି, ଯାହାକୁ ଅତିକ୍ରମ କରିବା ଏକପ୍ରକାର ଅସମ୍ଭବ। ତଥାପି ‘ଏଲିଅନ୍: ରୋମୁଲସ୍’, ପୁରୁଣା ‘ଏଲିଅନ୍’ପ୍ରେମୀ ଓ ପ୍ରଥମ ଥର ପାଇଁ କୌଣସି ‘ଏଲିଅନ୍’ ସିନେମା ଦେଖୁଥିବା ଦର୍ଶକଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହୋଇଛି।
ଏହାର କାହାଣୀ ସମ୍ପର୍କରେ ଧାରଣା ଦେବା ଲାଗି ସରଳ ଭାବେ କୁହାଯାଇପାରେ ଯେ ଅନ୍ୟ ଗ୍ରହରେ ମଣିଷ ବସତି ସ୍ଥାପନ କରିବା ପାଇଁ ଏଲନ୍ ମସ୍କଙ୍କ ସ୍ବପ୍ନ ପୂରଣ ହେବା ପରେ ମଣିଷ କେଉଁସବୁ ଜୈବିକ ଓ ଏଲିଅନ୍ (ବାହାର ଗ୍ରହର ଜୀବ) ଜନିତ ଅଦୃଷ୍ଟ ବିପଦର ସମ୍ମୁଖୀନ ହୋଇପାରେ, ତାହାର ଏକ ରୋଚକ ପରିକଳ୍ପନା ହେଉଛି ‘ଏଲିଅନ୍: ରୋମୁଲସ୍।’ ପୃଥିବୀରୁ ୪୫ ଆଲୋକ ବର୍ଷ ଦୂରରେ ଅବସ୍ଥିତ ‘ଜ୍ୟାକ୍ସନ୍ସ ଷ୍ଟାର୍’ ନାମକ ବସତିର ସର୍ବେସର୍ବା ହେଉଛି ‘େଵଲାଣ୍ଡ୍-ୟୁଟାନି କର୍ପୋରେସନ୍’। ତା’ ଅଧୀନରେ କାମ କରୁଥିବା ବୈଜ୍ଞାନିକ ରେନ୍ କାରାଡିନ୍ (କାଇଲି ସ୍ପେନି) କେତେଜଣ ଯୁବ ବନ୍ଧୁଙ୍କ ସହ ଉକ୍ତ କର୍ପୋରେସନ୍ର କଠୋର ନିୟନ୍ତ୍ରଣରୁ ବାହାରି ‘ୟିଭାଗା’ ଗ୍ରହକୁ ଲୁଚି ପଳାଇଯିବାର ଯୋଜନା କରନ୍ତି। ତାଙ୍କ ଆଣ୍ଡ୍ରଏଡ୍ ଭାଇ ଏଣ୍ଡି (ଡେଭିଡ୍ ଜନ୍ସନ୍), ପୂର୍ବ ପ୍ରେମିକ ଟାୟଲର୍ (ଆର୍ଚି ରେନୋକ୍ସ), ବନ୍ଧୁ କେ’ (ଇସାବେଲା ମର୍ସିଡ୍), ଜର୍ନ (ସ୍ପାଇକ୍ ଫର୍ନ) ଓ ନାଭାରୋ (ଏଇଲିନ୍ ଵୁ) ଏହି ଦୁଃସାହସିକ ଅଭିଯାନରେ ସାମିଲ ହୁଅନ୍ତି। ନିଜ ଗ୍ରହର କକ୍ଷରେ ପହଞ୍ଚିବା ପରେ ଏକ ପରିତ୍ୟକ୍ତ ସ୍ପେସ୍ ଷ୍ଟେସନ୍ରୁ ସେମାନେ କେତେକ କାର୍ଯ୍ୟକ୍ଷମ ହାଇପର୍ସ୍ଲିପ୍ ଚ୍ୟାମ୍ବର୍ ନେବାର ଯୋଜନା କରନ୍ତି, ଯାହା ଭିତରେ ଶୋଇ ସେମାନେ ଦୀର୍ଘ ଯାତ୍ରା କରିପାରିବେ। ତେବେ ସେହି ଷ୍ଟେସନ୍ଟି ‘େଵଲାଣ୍ଡ୍-ୟୁଟାନି କର୍ପୋରେସନ୍’ର ଏକ ଗବେଷଣାଗାର ବୋଲି ପରେ ଜଣାପଡ଼େ। ଇନ୍ଧନ ଅନ୍ବେଷଣରେ ତାହାର ଅଭ୍ୟନ୍ତର ଅଂଶକୁ ପଶିବା ପରେ ସେମାନେ ଅଜ୍ଞାତବଶତଃ ‘ଜେନୋମର୍ଫ’ ନାମକ ଏଲିଅନ୍ମାନଙ୍କୁ ମୁକ୍ତ କରିଦିଅନ୍ତି। ଏହା ପରେ ସେହି ଭୟଙ୍କର ଦାନବମାନଙ୍କ ପାଖରୁ ବର୍ତ୍ତିବା ଲାଗି ସେମାନଙ୍କ ସଂଘର୍ଷ ଆରମ୍ଭ ହୋଇଯାଏ।
‘ଏଲିଅନ୍: ରୋମୁଲସ୍’ର ଗୋଟିଏ ବିଶେଷତ୍ବ ହେଲା ଏହି ସିନେମାଟି ଦେଖିବା ବେଳେ ଅନେକ ସାଇନ୍ସ-ଫିକ୍ସନ୍ ସିନେମାର ଉପାଦାନ ବାରି ହୋଇପଡ଼େ। ଏହାର ପ୍ରାରମ୍ଭିକ ଦୃଶ୍ୟଗୁଡ଼ିକ ‘ବ୍ଲେଡ୍ ରନର୍: ୨୦୪୯’ ଅନୁରୂପ ବିଷାଦମୟ ଲାଗୁଥିବା ବେଳେ, ମହାକାଶ ଯାତ୍ରା ସମୟର ଦୃଶ୍ୟ ଓ ଧ୍ବନି ‘ଇଣ୍ଟର୍ଷ୍ଟେଲାର୍’ ଚଳଚ୍ଚିତ୍ର କଥା ମନେ ପକାଇଦିଏ। ସେହିପରି ଗବେଷଣାଗାରରୁ ଭୟଙ୍କର ଜୀବଙ୍କ ମୁକ୍ତି ପରବର୍ତ୍ତୀ ସଙ୍କଟରୁ ‘ରେସିଡେଣ୍ଟ ଇଭିଲ୍’ର ଆଭାସ ମିଳିଥାଏ। ଏସବୁ ସତ୍ତ୍ବେ ଏହାର କାହାଣୀ ଓ ଚରିତ୍ରମାନଙ୍କ ମୌଳିକତା କ୍ଷୁଣ୍ଣ ହୋଇନାହିଁ। ମୁଖ୍ୟ ଚରିତ୍ରରେ କାଇଲିଙ୍କ ଅଭିନୟ ଯେତିକି ଚିତ୍ତାକର୍ଷକ, ଏଣ୍ଡି ଚରିତ୍ରରେ ଡେଭିଡ୍ଙ୍କ ପ୍ରଦର୍ଶନ ତା’ଠାରୁ ଅଧିକ ଭାବ ଉଦ୍ରେକ କରିଥାଏ। ସେହିପରି ପୁରୁଣା ‘ଏଲିଏନ୍’ ସିେନମାର ସମୟ ସହ ସଂହତି ବଜାୟ ରଖିବା ଲାଗି ଏହାର ସେଟ୍ ଓ ଚିତ୍ରନାଟ୍ୟରେ ସୂକ୍ଷ୍ମାତିସୂକ୍ଷ୍ମ ଜିନିଷ ପ୍ରତି ଧ୍ୟାନ ଦିଆଯାଇଛି। ଏହି ସିନେମାକୁ ସମାଲୋଚନା କରାଯିବାର ଏକ ବଡ଼ କାରଣ ହେଲା ନିର୍ମାତାମାନେ ଜଣେ ମୃତ ଅଭିନେତାଙ୍କୁ ‘ସିଜିଆଇ’ ପ୍ରଯୁକ୍ତି ଦ୍ବାରା ଏଥିରେ ଅଭିନୟ କରାଇଛନ୍ତି। ୨୦୨୦ରେ ମୃତ୍ୟୁବରଣ କରିଥିବା ଇଆନ୍ ହୋଲ୍ମ, ପ୍ରଥମ ‘ଏଲିଅନ୍’ ସିନେମାରେ ଅଭିନୟ କରିଥିଲେ। ଏହି ପଦକ୍ଷେପ ତାଙ୍କ ପ୍ରତି ଯେତିକି ଅପମାନଜନକ, ଏ ଦୃଷ୍ଟାନ୍ତ ସିନେମା ଜଗତକୁ କେଉଁ ଭବିଷ୍ୟତ ଆଡ଼କୁ ବାଟ କଢ଼ାଇବ ତାହା ସେତିକି ଉଦ୍ବେଗ ସୃଷ୍ଟି କରିଥାଏ।