ଓଡ଼ିଶାରେ ସବୁ ସରକାରୀ ସମାରୋହକୁ ବନ୍ଦ କରାଗଲା, ଅଫିସରେ କରୋନା ସଂପର୍କିତ ବୈଠକ ଛଡ଼ା ଅନ୍ୟ ବୈଠକ ହୋଇପାରିବ ନାହିଁ

ଭୁବନେଶ୍ୱର : ରାଜ୍ୟରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସତର୍କତାମୂଳକ ପଦକ୍ଷେପ ଗୁଡ଼ିକୁ ଆହୁରି ବଢାଇଦେଇଛନ୍ତି । ସବୁ ସରକାରୀ ସମାରୋହ, ଜୟନ୍ତୀ ଉତ୍ସବଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କରୋନା ସଂପର୍କିତ ବୈଠକକୁ ଛାଡ଼ିଦେଲେ ଅନ୍ୟ ବୈଠକଗୁଡ଼ିକୁ ନିଷିଦ୍ଧ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ କ୍ୟାବିନେଟ ମିଟିଂ, ମନ୍ତ୍ରୀ ସ୍ତରୀୟ ବୈଠକ ଆଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ । ଭିଡିଓ କନଫରେନ୍ସିଂ ସମ୍ଭବ ନହେଲେ ବୈଠକରେ ଯୋଗ ଦେଉଥିବା ଅଧିକାରୀମାନେ ୨ ମିଟର ବ୍ୟବଧାନ ରଖି ବସିବେ ବୋଲି ଶ୍ରୀ ବାଗଚୀ ଘୋଷଣା କରିଛନ୍ତି ।
ସାମ୍ବାଦିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି । ରାଜ୍ୟସରକାରଙ୍କ ପକ୍ଷରୁ ଆୟୋଜିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଅତି ଜରୁରୀ ହେଲେ ଯୋଗ ଦେବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦିଆଯାଇଛି । ଏସବୁ ସମ୍ମିଳନୀର ସିଧାପ୍ରସାରଣର କମନଫିଡ୍‌ ଚ୍ୟାନେଲ ମାନଙ୍କୁ ଦିଆଯାଉଛି । ଆହୁରି ମଧ୍ୟ ୟୁବ୍ୟୁବ, ଫେସବୁକ ଓ ଟ୍ଵିଟରରେ ଲାଇଭ ଷ୍ଟ୍ରିମ କରାଯାଉଛି । ଏହାଛଡ଼ା ଫଟୋ ଓ ପ୍ରେସ ବିଜ୍ଞପ୍ତି ଇ-ମେଲ ମାଧ୍ୟମରେ ପଠାଯାଉଛି ।

ସମ୍ବନ୍ଧିତ ଖବର