ତାମିଲ୍‌ନାଡୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ଚେନ୍ନାଇ: ତାମିଲ୍‌ ସୁପରଷ୍ଟାର୍‌ ରଜନୀକାନ୍ତ ତାମିଲ୍‌ନାଡୁର ରାଜ୍ୟ ରାଜନୀତିକୁ ଆସିବା ପ୍ରସଂଗରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ରଜନୀକାନ୍ତ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି। ତେବେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ସେ ଆସନ୍ତା ମେ ୨୩ ପରେ ହିଁ ନେବି ବୋଲି ଜଣାଇଛନ୍ତି। କାରଣ ଯଦି ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ଆବଶ୍ୟକୀୟ ସଂଖ୍ୟା ନ ପାଇ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇ ଏଆଇଏଡିଏମ୍‌କେ ସରକାରର ପତନ ଘଟେ ତେବେ ତା’ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ମୁଁ ନିଶ୍ଚିତ ରୂପେ ଲଢ଼ିବି ବୋଲି ମତ ରଖିଛନ୍ତି ରଜନୀକାନ୍ତ।

ଉଲ୍ଲେଖଯୋଗ୍ୟ, ତାମିଲନାଡୁ ବିଧାନସଭାର ୧୮ଟି ଆସନ ପାଇଁ ୨୦୧୯ ଲୋକସଭା ନିର୍ବାଚନ ସହ ଏକ ସାଙ୍ଗରେ ଉପନିର୍ବାଚନ ମଧ୍ୟ ଆୟୋଜିତ ହେଉଛି। ତେବେ, ତାମିଲନାଡୁର ୧୮ଟି ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ତାମିଲନାଡୁର ଶାସନ କ୍ଷମତାରେ ଥିବା ଏଆଇଏଡିଏମ୍‌କେର ପ୍ରାର୍ଥୀମାନେ ଯଦି ଏହି ଉପନିର୍ବାଚନରେ ବିଜୟ ଲାଭ ନ କରନ୍ତି ତେବେ ତାମିଲନାଡୁର ଏଆଇଏଡିଏମ୍‌କେ ସରକାର ସଂଖ୍ୟା ଲଘୁ ସରକାରରେ ପରିଣତ ହେବା ସହ ରାଜ୍ୟ ସରକାର ଭାଙ୍ଗିଯିବ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ କି, ୨୪୩ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ ପାଇଁ ୧୧୬ ଜଣ ବିଧାୟକଙ୍କର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ଏଆଇଏଡିଏମ୍‌କେର ମାତ୍ର ୧୧୪ ଜଣ ବିଧାୟକ ଅଛନ୍ତି। ତେଣୁ ତାମିଲନାଡୁ ବିଧାନସଭାର ୧୮ଟି ଆସନ ପାଇଁ ହେଉଥିବା ଏହି ଉପନିର୍ବାଚନ ଏଆଇଏଡିଏମ୍‌କେ ସରକାର ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି।

ସମ୍ବନ୍ଧିତ ଖବର