ଭୁବନେଶ୍ୱର: ବିଜେଡି ଭିତରେ ରହିଛନ୍ତି କୁଚକ୍ରୀ ଗୋଷ୍ଠୀ, ଯେଉଁମାନେ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି କର୍ପୋରେଟର ଅମରେଶ ଜେନା | ଅମରେଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବାବେଳେ ସେ କହିଛନ୍ତି ୨ ଦିନ ମଧ୍ୟରେ ଏହାର ଜବାବ ଦେବି | ଅମରେଶ କହିଛନ୍ତି ଯେ ଦଳର କ୍ଷତି ଚାହୁଁଥିବା ଲୋକଙ୍କୁ ମା ସଦବୁଦ୍ଧି ଦିଅନ୍ତୁ | ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେଇନାହିଁ | ନବୀନ ପଟ୍ଟନାୟକଙ୍କଠାରୁ ମତେ କେହି ଅଲଗା କରିପାରିବେ ନାହିଁ | ଦୁଇ ଦିନ ମଧ୍ୟରେ ଦେବି କାରଣ ଦର୍ଶାଅ ନୋଟିସର ଜବାବ | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲା ପରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଅମରେଶ ଜେନା |
ଉଲ୍ଲେଖ ଥାଉ କି ଶଙ୍ଖ ଭବନରେ କିଛି ଦିନ ତଳେ ହୋଇଥିବା ବିଜେଡି କଳିକୁ ନେଇ ବଡ଼ ଆକ୍ସନ ନିଆଯାଇଥିଲା | ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାଶୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ | ଏହା ସହିତ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ବି ନୋଟିସ ଜାରି କରି କାହିଁକି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଥିଲା | ଗତ ୨୫ ତାରିଖ ଦିନ ଶଙ୍ଖ ଭବନରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।
ଅଶୋକ ପଣ୍ଡା ଓ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବାଇଁଆ ଓ ଲିଟୁଙ୍କୁ ବରିଷ୍ଠ ନେତାଙ୍କ ସମେତ ଉଭୟ ନିର୍ବାଚନମଣ୍ଡଳୀର କର୍ପୋରେଟରମାନେ ବିରୋଧ କରିଥିଲେ। ସେଠାରେ ପ୍ରବଳ ହୋ ହଲ୍ଲା ହେବା ସହ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ବୈଠକ ପରଦିନ ବାଇଁଆ-ଲିଟୁ ଗଣମାଧ୍ୟମରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ୬୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ର ବିଜେପିର ସଦସ୍ୟ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗକୁ ବିରୋଧ କରି ରାଜେଶ ପାତ୍ର ବାଇଁଆ-ଲିଟୁଙ୍କ ନାମରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ।
ଏହା ପରେ ବାଇଁଆ-ଲିଟୁଙ୍କ ସହଯୋଗୀ ତଥା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିବେକ କୁମାର ସ୍ବାଇଁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ବାଇଁଆ-ଲିଟୁଙ୍କ ସହଯୋଗୀ କୁହାଯାଉଥିବା ଅବିନାଶ କୁମାର ପାତ୍ର ନାମକ ଜଣେ ଯୁବକ ଏୟାରଫିଲ୍ଡ ଥାନାରେ ରାଜେଶ ପାତ୍ରଙ୍କ ନାମରେ ଏତଲା ଦେଇଥିଲେ |