ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରର ୱିଲସନ ଗାର୍ଡେନ୍ ଅଞ୍ଚଳରେ ଏକ ଦ୍ରୁତଗାମୀ ଆମ୍ବୁଲାନ୍ସ ସାତ ଜଣଙ୍କୁ ଧକ୍କା ଦେଇଥିଲା, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା | ଏହି ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାଟି ମେ ୧ ତାରିଖରେ ଘଟିଥିଲା, ଯାହାର ଏକ ଭିଡିଓ ଆଜି ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୮.୩୦ ସମୟରେ, ସଞ୍ଜିବୀନୀ ଆମ୍ବୁଲାନ୍ସ ଡ୍ରାଇଭର ଚିରଞ୍ଜୀବ ୱିଲସନ ଗାର୍ଡେନ୍ ଥାନା ଅଞ୍ଚଳର ବିଟିଏସ ରୋଡରେ ଦ୍ରୁତ ଗତିରେ ଏବଂ ବେପରୁଆ ଭାବରେ ଆମ୍ବୁଲାନ୍ସ ଚଳାଉଥିଲେ।

Advertisment

ଏହି ସମୟରେ ଆମ୍ବୁଲାନ୍ସଟି ଦୁଇଟି ଗାଡ଼ି, ଗୋଟିଏ ଅଟୋ, ଗୋଟିଏ ସ୍କୁଟର ଏବଂ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ, ୪୯ ବର୍ଷୀୟ ରମେଶଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୬ ଜଣ ଆହତ ହୋଇଥିଲେ। ଘଟଣା ପରେ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା ଏବଂ ଲୋକମାନେ ଆମ୍ବୁଲାନ୍ସ ଡ୍ରାଇଭର ଚିରଞ୍ଜୀବଙ୍କୁ କାବୁ କରି ନେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲୋକମାନେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରି ସାରିଥିଲେ।

 ଏହା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ବର୍ତ୍ତମାନ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପଚରାଉଚରା ସମୟରେ ଚିରଞ୍ଜୀବ କହିଥିଲେ ଯେ ଆମ୍ବୁଲାନ୍ସର ବ୍ରେକ୍ ଫେଲ୍ ହୋଇଯିବାରୁ ଦୁର୍ଘଟଣା ଘଟିଥିଲା। ପୋଲିସ ଏହି ଘଟଣାର ତଦନ୍ତ କରୁଛି।