ତେହେରାନ : ଆମେରିକା-ଇରାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଅଲି ଖାମେନି ପରସ୍ପରକୁ ନାଲି ଆଖି ଦେଖାଉ ଥିବାବେଳେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖାଯାଇଛି। କତାର, ତୁର୍କୀ, ଓମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ସାମାନ୍ୟ କରିବାକୁ ପ୍ରୟାସ କରୁଥିବାବେଳେ ଶୁକ୍ରବାର ସକାଳେ ଓମାନ ରାଜଧାନୀ ମାସ୍କଟରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଅନୁ‌ଷ୍ଠିତ ହେବ। କତାର ଓ ତୁର୍କୀ ଏଥିରେ ମଧ୍ୟସ୍ଥତା କରିବେ। ଇତିମଧ୍ୟରେ ତେହେରାନସ୍ଥିତ ଆମେରିକା ଦୂତାବାସ ଏହାର ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି। 

Advertisment

ଆହୁରି ପଢନ୍ତୁ: Match cancellation : ମ୍ୟାଚ୍‌ ବର୍ଜନ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପିସିବିକୁ ଅନୁରୋଧ କଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

ଆମେରିକା-ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ପୂର୍ବରୁ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ଓ ପରିବହନ ସମସ୍ୟା ଦେଖାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇରାନରେ ଆମେରିକା ନାଗରିକଙ୍କୁ ପଚରାଉଚରା କିମ୍ବା ଅଟକ ରଖିବାର ଆଶଙ୍କା ବୃଦ୍ଧି ପାଉଛି। ଇରାନରେ ଅବସ୍ଥିତ ଆମେରିକୀୟ ଦୂତାବାସ ଏହାର ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡିବା ପାଇଁ ଏକ ଜରୁରୀ ସୁରକ୍ଷା ସତର୍କତା ଜାରି କରିଛି। ଇରାନ କର୍ତ୍ତୃପକ୍ଷ ମୋବାଇଲ୍, ଲ୍ୟାଣ୍ଡଲାଇନ୍ ଏବଂ ଜାତୀୟ ଇଣ୍ଟରନେଟ୍ ନେଟୱାର୍କ ଉପରେ କଟକଣା ଲଗାଇଛନ୍ତି। ବହୁ ଏୟାରଲାଇନ୍ସ ମଧ୍ୟ ଏହାର ବିମାନ ବାତିଲ କିମ୍ବା ସଂକ୍ଷିପ୍ତ କରୁଛନ୍ତି।

ଆହୁରି ପଢନ୍ତୁ: Trump cheated Pakistan: ପାକିସ୍ତାନକୁ ଠକି ଦେଲେ ଟ୍ରମ୍ପ, ଜୋକର ପାଲଟିଲେ ଶେହବାଜ୍-ମୁନୀର

ଏପରିସ୍ଥିତିରେ ଆମେରିକା ଏହାର ନାଗରିକଙ୍କୁ ସ୍ଥଳପଥରେ ଇରାନରୁ ଆର୍ମେନିଆ କିମ୍ବା ତୁର୍କୀ ଯିବାକୁ ପରାମର୍ଶ ଦେଇଛି। ଆମେରିକା ସରକାରଙ୍କ ସହାୟତା ଉପରେ ନିର୍ଭର ନକରି ନିଜସ୍ବ ଉପାୟରେ ଇରାନ ଛାଡ଼ିବାକୁ କୁହାଯାଇଛି। ଯେଉଁମାନେ ଇରାନ ଛାଡି ପାରିବେ ନାହିଁ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି। ନିଜ ପାଖରେ ଯଥେଷ୍ଟ ଖାଦ୍ୟ, ପାଣି ଏବଂ ଔଷଧ ମହଜୁଦ ରଖିବା ସହିତ ଗୋପନୀୟତା ବଜାୟ ରଖିବା ଏବଂ ପରିବର୍ତ୍ତନଶୀଳ ପରିସ୍ଥିତି ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ସୂଚନା ପାଇବାକୁ ଦୂତାବାସ ଏହାର ନାଗରିକଙ୍କୁ ସ୍ମାର୍ଟ ଟ୍ରାଭେଲର ଏନରୋଲମେଣ୍ଟ ପ୍ରୋଗ୍ରାମରେ ନାମ ଯୋଡ଼ିବାକୁ ପରାମର୍ଶ ଦେଇଛି। ଆମେରିକା-ଇରାନ ଦ୍ୱୈତ ନାଗରିକତା ରଖିଥିବା ଲୋକଙ୍କ ପାଇଁ ଅଧିକ ବିପଦ ରହିଥିବା ଏଥିରେ କୁହାଯାଇଛି। ଇରାନ ଦ୍ୱୈତ ନାଗରିକତାକୁ ସ୍ୱୀକାର କରେ ନାହିଁ ଏବଂ ଏମାନଙ୍କୁ କେବଳ ଇରାନ ନାଗରିକ ଭାବରେ ଗ୍ରହଣ କରେ। ଆର୍ମେନିଆରେ ପ୍ରବେଶ କରୁଥିବା ଆମେରିକୀୟ ନାଗରିକମାନେ ୧୮୦ ଦିନ ପର୍ଯ୍ୟନ୍ତ ଭିସା-ମୁକ୍ତ ରହିପାରିବେ ଓ ତୁର୍କୀ ପାର ହେଉଥିବା ଲୋକମାନେ ୯୦ ଦିନ ପର୍ଯ୍ୟନ୍ତ ରହିପାରିବେ। 

ଆହୁରି ପଢନ୍ତୁ: RCB's victory : ଆରସିବିର ବିଜୟବାନା ଉଡ଼ାଇଚାଲ! ଚାମ୍ପିୟନ ଦଳକୁ ବିରାଟଙ୍କ ଶୁଭେଚ୍ଛା

ତୁର୍କମେନିସ୍ତାନ ସୀମା ଖୋଲା ଥିଲେ ମଧ୍ୟ ଆଶଗାବାତରେ ଥିବା ଆମେରିକୀୟ ଦୂତାବାସଠାରୁ ଏଥିପାଇଁ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ। ଆଜରବୈଜାନକୁ ସ୍ଥଳପଥ ବନ୍ଦ ରହିଛି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଆମେରିକା ଏହାର ନାଗରିକମାନଙ୍କୁ ଆଫଗାନିସ୍ତାନ, ଇରାକ କିମ୍ବା ପାକିସ୍ତାନ-ଇରାନ ସୀମାବର୍ତ୍ତୀ ଅଞ୍ଚଳ ଦେଇ ଯାତ୍ରା ନକରିବାକୁ ସତର୍କ କରିଛି। ୱାସିଂଟନର ତେହେରାନ ସହିତ କୌଣସି କୂଟନୈତିକ କିମ୍ବା କନସୁଲାର ସମ୍ପର୍କ ନାହିଁ ବୋଲି କୁହାଯାଇଛି। ଆମେରିକା-ଇରାନ ମଧ୍ୟରେ ଯଦି ଶାନ୍ତି ଆଲୋଚନା ବିଫଳ ହୁଏ ତେବେ ଯୁଦ୍ଧ ‌ହେବାର ଆଶଙ୍କା ରହିଛି। ଯଦ୍ବାରା ପୂରା ମଧ୍ୟପ୍ରାଚ୍ୟରେ ଭୟାବହ ସ୍ଥିତି ଉତ୍ପନ୍ନ ହେବା ଆଶଙ୍କା ପ୍ରକାଶ ପାଇଛି।