ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶାହା କହିଛନ୍ତି ହିନ୍ଦୁ ଆତଙ୍କବାଦୀ ନାଁରେ ଏକ ମିଛ ମାମଲା କରି ସାଧ୍ୱୀଙ୍କୁ ଫସା ଯାଇଥିଲା। ଦୀର୍ଘ ସମୟ ଧରି ମାମଲାର ଯାଞ୍ଚ୍‌ ଚାଲିଲା, କିନ୍ତୁ ଶେଷରେ ଏହା ମିଥ୍ୟା ବୋଲି ଜଣାପଡ଼ିଲା। ଖାଲି ଏତିକି ନୁହେଁ, ୟୁପିଏ ସଭାପତି ସୋନିଆ ଗାନ୍ଧୀଙ୍କୁ ବି ଶାହା ଟାର୍ଗେଟ କରିଛନ୍ତି। ଅମିତ ଶାହା କହିଛନ୍ତି କି ୟୁପିଏ ଶାସନରେ ଯେତେବେଳେ ବଟଲା ଏନକାଉଁଟର ହୋଇଥିଲା। ଆଉ ସେତେବେଳ କଣ ସୋନିଆ ଗାନ୍ଧୀ ଆଖିରୁ ଲୁହ ଗଡ଼ାଇଥିଲେ।

Advertisment

ହେଲେ କୌଣସି ସହିଦଙ୍କ ପାଇଁ ତାଙ୍କ ଆଖିରୁ ଲୁହ ଦେଖିବାକୁ ମିଳିଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଶାହ। ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମ ଟାଇମ୍‌ସ ନାଓକୁ ସାକ୍ଷାତକାରୀ ଦେଇ ସାଧ୍ୱୀଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ କାଉଁଟର କରିଥିଲେ ମୋଦୀ। ୧୯୮୪ ଦଙ୍ଗାର ଉଦାହରଣ ଦେଇ କହିଥିଲେ କି ଏହି ଦଙ୍ଗାରେ ସଂପୃକ୍ତ ନେତାମାନଙ୍କୁ କଂଗ୍ରେସ ଟିକେଟ ଦେଇଥିଲା, ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ପଦ ବି ଦେଲା। ତେଣୁ ସାଧ୍ୱୀଙ୍କ ପ୍ରସଙ୍ଗରେ କଂଗ୍ରେସ ଆମକୁ ପ୍ରବଚନ ନ ଦେଉ ବୋଲି କହିଥିଲେ ମୋଦୀ। ଉଲ୍ଲେଖଯୋଗ୍ୟ, ସାଧ୍ୱୀଙ୍କୁ ବିଜେପି ଭୋପାଳରୁ ପ୍ରାର୍ଥୀ କରିବା ପରେ ଜାମିନରେ ଥିବା ଜଣେ ଆତଙ୍କବାଦୀଙ୍କୁ ଭାରତୀୟ ଜନତା ପାର୍ଟି ଟିକେଟ୍‌ ଦେଇଥିବା କହି ବିରୋଧ କରି ଆସୁଛି କଂଗ୍ରେସ।