ଭୁବନେଶ୍ବର : ଶେଷରେ ଚେତିଲା ଯୋଗାଣ ବିଭାଗ। ହିତାଧିକାରୀଙ୍କ ରାସନ୍ ସାମଗ୍ରୀ ହରଣଚାଳ କରୁଥିବା ଅଭିଯୁକ୍ତ ଡିଲର୍ଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଯୋଗାଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକ ଦୁଇ ଅଭିଯୋଗକାରୀଙ୍କ ଘର ଦୁଇ ଦୁଇଥର ପରିଦର୍ଶନ କରିବା ସହ ସତ୍ୟାସତ୍ୟ ଯାଞ୍ଚ କରିଛନ୍ତି।
ଅଭିଯୋଗକାରୀ ବିଚିତ୍ରାନନ୍ଦ ବେହେରାଙ୍କ ଘରକୁ ଯାଇ ସେମାନେ ତାଙ୍କ ରାସନ୍ ଖାତାର ଯାଞ୍ଚ କରିଥିଲେ। କେବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହେଲା ଓ କେବେଠାରୁ ଡିଲର୍ ତାଙ୍କ ସ୍ତ୍ରୀଙ୍କ କୋଟା ସାମଗ୍ରୀ ଦେଉନାହାନ୍ତି, ସେ ବିଷୟରେ ପଚାରି ବୁଝିଥିଲେ। ସେହିପରି ଅନ୍ୟ ଜଣେ ଅଭିଯୋଗକାରୀ ହରିହର ମହାରଣାଙ୍କ ଘରକୁ ଯାଇ ମଧ୍ୟ ପଚରାଉଚରା କରିଥିଲେ। ସଂପୃକ୍ତ ଡିଲର୍ କେବେଠାରୁ ତାଙ୍କ ବିବାହିତ ଝିଅ ଏବଂ ପୁଅର ଚାଉଳ କାଟୁଛନ୍ତି, ପଚରାଉଚରା କରିଥିଲେ। ଦୁଇ ହିତାଧିକାରୀଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିବା ଜଣାଯାଇଛି।
ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ହିତାଧିକାରୀଙ୍କ ବୟାନ ଏବଂ ଆବଶ୍ୟକ କାଗଜପତ୍ର ଯାଞ୍ଚର ସମସ୍ତ ରିପୋର୍ଟ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ଓ ରିପୋର୍ଟ ଆଧାରରେ ତଦନ୍ତ କରାଯାଉଛି। ଡିଲର୍ ଦୋଷୀ ପ୍ରମାଣିତ ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଏମ୍ସିର ୱାର୍ଡ ନମ୍ବର ୧୧ ଅନ୍ତର୍ଗତ ଭିଏସ୍ଏସ୍ ନଗରରେ ଜଣେ ଡିଲର୍ ହିତାଧିକାରୀଙ୍କ ରାସନ୍ ସାମଗ୍ରୀ ହରଣଚାଳ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଜୀବିକା ସହାୟତା ମିସନ୍ରେ ଟଙ୍କା ବଣ୍ଟା ବେଳେ ଡିଲର୍ଙ୍କ କଳା କାରନାମା ପଦାକୁ ଆସିଥିଲା। ହିତାଧିକାରୀ ବିଚିତ୍ରାନନ୍ଦ ବେହେରାଙ୍କ ପତ୍ନୀଙ୍କ ଦେଢ଼ ବର୍ଷ ତଳୁ ମୃତ୍ୟୁ ହୋଇସାରିଥିଲେ ହେଁ ତାଙ୍କ ନାଁରେ ରାସନ୍ ସାମଗ୍ରୀ ଉଠାଣ ହେଉଥିଲା। କିନ୍ତୁ ବିଚିତ୍ରାନନ୍ଦଙ୍କୁ ତାହା ମିଳୁନଥିଲା। ଏ ସଂପର୍କରେ ସେ ଅବଗତ ହେବା ପରେ ସମ୍ବାଦର ସହାୟତା ଲୋଡ଼ିଥିଲେ। ଏନେଇ ଗତ ୧୬ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପରେ ଅନ୍ୟ ଜଣେ ହିତାଧିକାରୀ ହରିହର ମହାରଣାଙ୍କୁ ମଧ୍ୟ ଡିଲର୍ ୩ ବର୍ଷ ଧରି ଠକି ଆସୁଥିବା ନେଇ ସେ ଅଭିଯୋଗ କରିଥିଲେ। ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସେ ‘ସମ୍ବାଦ’କୁ ଦେଇଥିଲେ। ତାଙ୍କ ପରିବାରର ୪ ହିତାଧିକାରୀଙ୍କ ବାବଦକୁ ୨୦ କେଜି ରାସନ୍ ସାମଗ୍ରୀ ଆସୁଥିଲେ ହେଁ ଡିଲର୍ ତାଙ୍କୁ ମାତ୍ର ୧୦ କେଜି ଦେଉଥିଲେ। ଦୁଇ ସଦସ୍ୟଙ୍କ ନାଁ କଟିଯାଇଥିବା କହି ଭୂତାଇ ଆସୁଥିଲେ।