ପାଟନା: ନିର୍ବାଚନ ପୂର୍ବରୁ ବିବାଦରେ ଫସିଲେ ବିଧାୟକ ପ୍ରାର୍ଥୀ | ମାମଲା ଏତେ ଗୁରୁତର ଥିଲା ଯେ କୋର୍ଟ ତାଙ୍କୁ ଜେଲ ପଠାଇଦେଲେ | ହେଲେ ନିଜର ଜନସମର୍ଥନ ତଥା କର୍ମୀଙ୍କ ପରିଶ୍ରମ ତାଙ୍କୁ ବିଜୟର ଫଳ ଦେଇଛି | ଆମେ କହୁଛୁ ବିହାରର ମୋକାମା ବିଧାନସଭା ଆସନରେ ନିର୍ବାଚନ ଲଢ଼ିଥିବା ଅନନ୍ତ ସିଂହଙ୍କ କଥା | ଆଜି ନିର୍ବାଚନ ଫଳାଫଳ ବାହାରିବା ପରେ ସେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବୀଣା ଦେବୀଙ୍କୁ ପରାସ୍ତ କରିଛନ୍ତି। ବୀଣା ଦେବୀ ହେଉଛନ୍ତି ପୂର୍ବତନ ସାଂସଦ ସୂରଜ ଭାନ ସିଂହଙ୍କ ପତ୍ନୀ, ଯିଏ ଆରଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ | ଅନନ୍ତ ସିଂହ ୨୯୭୧୦ ଭୋଟରେ ଏହି ଆସନରୁ ଜିତିଛନ୍ତି।

Advertisment

ରେକର୍ଡ କଲେ ଅନନ୍ତ
ଅନନ୍ତ ସିଂହ ମୋକାମାରେ ବିଜୟ ସହ ଏକ ରେକର୍ଡ ସ୍ଥାପନ କରିଛନ୍ତି। ସେ ଷଷ୍ଠ ଥର ପାଇଁ ଜିତିଛନ୍ତି। ଏଥର, ମୋକାମା ବିଧାନସଭା ଆସନ ଖବରରେ ଥିଲା କାରଣ ଏକ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ଆଶା କରାଯାଉଥିଲା। କ୍ରମାଗତ ପାଞ୍ଚ ଥର ପାଇଁ ବିଧାୟକ ଥିବା ଅନନ୍ତ ସିଂହଙ୍କ ପ୍ରତିଦ୍ୱନ୍ଦ୍ୱିତା ଆରଜେଡିର ଶକ୍ତିଶାଳୀ ନେତା ସୂରଜ ଭାନ ସିଂହଙ୍କ ପତ୍ନୀ ବୀଣା ଦେବୀ ଏବଂ ଜନ ସ୍ୱରାଜ ପାର୍ଟିର ପୀୟୁଷ ପ୍ରିୟଦର୍ଶୀଙ୍କ ମଧ୍ୟରେ ହୋଇଥିଲା।

କେତେ ଭୋଟ ପାଇଲେ ଅନନ୍ତ?
ଅନନ୍ତ ସିଂହଙ୍କୁ ୯୧୪୧୬ ଖଣ୍ଡ ଭୋଟ ମିଳିଥିବାବେଳେ ବୀଣା ଦେବୀଙ୍କୁ ୬୩୨୧୦ ଖଣ୍ଡ ଓ ପୀୟୂଷଙ୍କୁ ୧୯୩୬୫ ଖଣ୍ଡ ଭୋଟ ମିଳିଛି | ଉଲ୍ଲେଖ ଥାଉ କି ଗିରଫ ହେବା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରି ଜନତା ଦଳ ୟୁନାଇଟେଡ୍ ପ୍ରାର୍ଥୀ ଅନନ୍ତ ସିଂହ ଲେଖିଥିଲେ ଯେ, ସତ୍ୟମେବ ଜୟତେ!! ମୋକାମାର ଲୋକଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ତେଣୁ ନିର୍ବାଚନ ଏବେ ମୋକାମାର ଲୋକମାନେ ଲଢ଼ିବେ। ଯାହାକି ସତ୍ୟ ପ୍ରମାଣିତ ହୋଇଛି |

କାହିଁକି ଜେଲ ଗଲେ ଅନନ୍ତ?
ବାସ୍ତବରେ ନିର୍ବାଚନ ପ୍ରଚାର ସମୟରେ, ପୀୟୁଷ ଏବଂ ଅନନ୍ତ ସିଂହଙ୍କ ଶୋଭାଯାତ୍ରା ପରସ୍ପରର ସାମ୍ନା କରିବାରୁ ବିବାଦ ସୃଷ୍ଟି ହୋଇଥିଲା, ଯାହା ଫଳରେ ଉଭୟ ଦଳ ମଧ୍ୟରେ ହାତାହାତି ହୋଇଥିଲା। ଉଭୟ ଦଳର କର୍ମୀ ପରସ୍ପର ଉପରକୁ ପଥର ଫିଙ୍ଗିଥିଲେ | ଖାଲି ପଥର ନୁହେଁ ଗୁଳି ବିନିମୟ ବି ହୋଇଥିଲା | ଏହି ଘଟଣାରେ ଗୁଳି ଫୁଟି ଜନସ୍ୱରାଜର ସମର୍ଥକ ଦୁଲାରଚାନ୍ଦ ଯାଦବଙ୍କ ମୃତ୍ୟୁ ହୋଇଥିଲା। ୩୦ ଅକ୍ଟୋବରରେ ମୋକାମାରେ ଜନସୁରାଜ ପାର୍ଟି ପ୍ରାର୍ଥୀ ପୀୟୂଷ ପ୍ରିୟଦର୍ଶୀଙ୍କ ପ୍ରଚାର ବେଳେ ଅନନ୍ତ ସିଂହ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ‌ଘଟିଥିଲା। ଏଥିରେ ୭୫ ବର୍ଷୀୟ ଦୁଲାରଚାନ୍ଦଙ୍କ ମୃତ୍ୟୁ ହୋଇଥିଲା। ଦୁଲାରଚାନ୍ଦଙ୍କ ଦେହରେ ଗୁଳି ବାଜିଥିଲା ଏବଂ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ପ୍ରମାଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଥିଲା। ଏହି ମାମଲାରେ ଏକ ଏଫଆଇଆର ପରେ, ଅନନ୍ତ ସିଂହଙ୍କୁ ବିଚାର ବିଭାଗୀୟ ହାଜତରେ ଜେଲ ପଠାଯାଇଥିଲା। ସେ ଜେଲରେ ଅଛନ୍ତି, କିନ୍ତୁ ମୋକାମାର ଲୋକମାନେ ତାଙ୍କୁ ଜିତାଇଦେଇଛନ୍ତି।