ଗୁଣପୁର/ରାୟଗଡା: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ରାୟ ଆନ୍ଧ୍ର ସପକ୍ଷରେ ଯାଇଛି। ଟ୍ରିବ୍ୟୁନାଲ ରାୟକୁ ନେଇ ଆନ୍ଧ୍ରବାସୀ ଉଲ୍ଲସିତ ଥିବା ବେଳେ ଓଡ଼ିଶା ନିରାଶ ହୋଇଛି। ଓଡ଼ିଶା ସରକାରଙ୍କ ଉଦାସୀନତା ଯୋଗୁ ହିଁ ଆନ୍ଧ୍ର ବଂଶଧାରାରେ ଦ୍ବିତୀୟ ପ୍ରକଳ୍ପ କରିବାରେ ସକ୍ଷମ ହୋଇଥିବା ବିଜେପି ଅଭିଯୋଗ ଆଣିଛି। ବିଜେପି ଟିମ୍ ଆଜି ନେରେଡ଼ି ପ୍ରକଳ୍ପ ଅଞ୍ଚଳ ସହ ବଂଶଧାରା ଉପରମୁଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଆନ୍ଧ୍ର ସରକାର ନେରେଡ଼ିରେ ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ନେରେଡି ଜଳ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଆନ୍ଧ୍ର ସରକାର। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ପୂର୍ବରୁ ନେରେଡ଼ିରେ ପହଞ୍ଚି ପ୍ରକଳ୍ପ ଅଞ୍ଚଳ ବୁଲିବା ସହ ଶିଳାନ୍ୟାସ ପର୍ବର ସମୀକ୍ଷା କରିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ଧର୍ମାନ୍ନl କ୍ରିଷ୍ଣାଦାସ। ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଜଳ ସମ୍ପଦ ମନ୍ତ୍ରୀ ଅନିଲ କୁମାର ୟାଦବ, ପାଲକୋଣ୍ଡା ବିଧାୟିକା ଭି. କଳାବତୀ, ପାତପାଟନମ ବିଧାୟିକା ଶାନ୍ତି ରେଡ୍ଡି, ଏମ୍ଏଲସି ଦୁୱାଡା ଶ୍ରୀନିବାସ, ଶ୍ରୀକାକୁଲମ ଜିଲ୍ଲାପାଳ, ମୁଖ୍ୟ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ନେରେଡିରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ବିଜେପି ଟିମ ବଂଶଧାରା କୂଳରେ ଥିବା ସାରା ଗ୍ରାମରେ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ନଦୀ ଅପରପାର୍ଶ୍ବ ନେରେଡିରେ ଆନ୍ଧ୍ରର ଶିଳାନ୍ୟାସ ପ୍ରସ୍ତୁତି ପର୍ବକୁ ଦେଖି ହତବାକ ହୋଇ ପଡ଼ିଥିଲେ।
ଆନ୍ଧ୍ରର ଶିଳାନ୍ୟାସ ପ୍ରସ୍ତୁତି ଖବର ଓଡ଼ିଶା ସରକାର କିମ୍ବା ଜିଲ୍ଲା ପ୍ରଶାସନ ପାଖରେ ନଥିବା କ୍ଷୋଭର ସହ କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର। ନେରେଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ରାଜ୍ୟ ସରକାର ଚାପ ପ୍ରୟୋଗ କରିବା ସହ ଟ୍ରିବ୍ୟୁନାଲରେ ପୁନଃ ପିଟିସନ ଦାଖଲ କରିବାକୁ ଭୃଗୁ ଦାବି କରିଛନ୍ତି। ନେରେଡ଼ି ପ୍ରକଳ୍ପ ଦ୍ବାରା ଓଡ଼ିଶାର ଗୁଣପୁର ଓ କାଶୀନଗର ବ୍ଲକ ପ୍ରଭାବିତ ହେବ। ସାରା, ବାଡ଼ିଗାଁ, ପାଲସିଂ ଗ୍ରାମର ୨ ହଜାରରୁ ଉର୍ଧ୍ବ ଜମି ପ୍ରଭାବିତ ହେବ ବୋଲି ଆଇନଜୀବୀ ବ୍ରଜମୋହନ ନାୟକ ଅଭିଯୋଗ କରିଛନ୍ତି।
ବିଜେପି ଟିମ୍ ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଗୁଣପୁର ଅଭିମୁଖେ ଆସି ଗୁଡାରି ନିକଟରେ ଓଡିଶା ସରକାରଙ୍କ ପ୍ରସ୍ତାବିତ ବଂଶଧାରା ଓ ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାର ନେରେଡି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରନ୍ତୁ ନଚେତ ଗୁଡାରିରେ ଜଳ ପ୍ରକଳ୍ପ କାର୍ଯ୍ୟ ଅତିଶୀଘ୍ର ଆରମ୍ଭ କରନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ଟିମରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଉପ ସଭାପତି ୱାଇ. ଗଣପତି, ରବି ଗମାଙ୍ଗ, ପୃଥିବୀ ରାଜ ପାଢ଼ୀ, ଉଦୟ ନାଥ ପାଢ଼ୀ, ବିଦ୍ୟାଶବର, ପ୍ରେମ ପଣ୍ଡା, ପି ନାଗାରାଜୁ, ଶ୍ରୀନୁବାସ ସ୍ୱାଇଁ, ଫାଲଗୁନି ଶବର, କାଶୀନଗର ବ୍ଲକ ଅଧ୍ୟକ୍ଷ ସି. ଏଚ୍. ସୀମାଦ୍ରି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି. ଲତାସେ ସାମିଲ୍ ହୋଇଥିଲେ। ସଂଧ୍ୟାରେ ବିଜେପି ପକ୍ଷରୁ ଗୁଣପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ବିଜେପି ନେତୃବୃନ୍ଦ ବର୍ଷିଥିଲେ। ଓଡ଼ିଶା ସରକାର ବିହତ ପଦକ୍ଷେପ ନ ନେଲେ ଗୁଣପୁର, କାଶୀନଗର ଅଞ୍ଚଳର ୩୦ ଗାଁ ନଦୀଗର୍ଭକୁ ଚାଲିଯିବ ବୋଲି ବିଜେପି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/IMG-20210702-WA0036.jpg)