ଅନୁଗୁଳ: ମଶାଣି ଭୂଇଁ ପାଇଁ କୁଇଓ ଜଙ୍ଗଲ କାଟ୍!

ଅନୁଗୁଳ: ସଂରକ୍ଷିତ ଜଙ୍ଗଲ ଭିତରକୁ ପଶିଛି ଏମ୍‌ସିଏଲ୍। ମୂଲ୍ୟବାନ ଶାଳ ଗଛ କାଟି ସେଠି କରିଛି ମଶାଣି। ଶବ ପୋଡ଼ିବା ପାଇଁ ଦୁଇ ଦୁଇଟା ଭିତ୍ତିଭୂମି ତିଆରି କରିଛି। ବଅଁରପାଳ ବ୍ଲକ୍‌ କୁଇଓ ବନ ସୁରକ୍ଷା ସମିତି ଏମ୍‌ସିଏଲ୍ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି। ନିଜ ସୀମା ବାହାରକୁ ଯାଇ ଏମ୍‌ସିଏଲ୍ ଏମିତି କାରନାମା କରିଛି। ତେଣୁ, ସେ ଜାଗାର ଜିପିଏସ୍‌ ରିଡ଼ିଂ ନେଇ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ବନ ବିଭାଗ ନିକଟରେ ଦାବି କରିଛନ୍ତି।

ଗାଁ ଲୋକଙ୍କ କହିବା ମୁତବାକ, ଗାଁର ଏ ସଂରକ୍ଷିତ ଜଙ୍ଗଲ ହେଉଛି ପ୍ରାୟ ୫୬୩ ହେକ୍ଟରର। ୧୯୮୦ମସିହା ବେଳକୁ ଏ ଜଙ୍ଗଲ ଧୀରେ ଧୀରେ ପଦା ହୋଇ ଚାଲିଥିଲା। ୧୯୮୫ମସିହାରୁ ଗାଁ ଲୋକେ ଜଙ୍ଗଲର ସୁରକ୍ଷା ଦାୟିତ୍ବ କାନ୍ଧେଇଥିଲେ। ଜଗାରଖା ଆରମ୍ଭ କରିଥିଲେ। ପ୍ରତି ଘରୁ ପାଳି ପହରା ଦେଇ ଜଙ୍ଗଲକୁ ଏମିତି ସୁରକ୍ଷା ଦେଲେ ଯେ ବଡ଼ ବଡ଼ ଶାଳ ଗଛଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଗଛ ସବୁ ଗାଁ ନିକଟରେ ଶୋଭା ପାଉଛି। ଏ ପୂରା ଜଙ୍ଗଲକୁ ଗାଁ ଲୋକେ ତିନି ଭାଗରେ ବିଭକ୍ତ କରିଛନ୍ତି। ଦୁଇ ଶହ ହେକ୍ଟର ଜଙ୍ଗଲ ଦାୟିତ୍ବ କୁଇଓ ବନ ସୁରକ୍ଷା ସମିତି ନେଇଥିବା ବେଳେ ଆଉ ଦୁଇ ଶହ ହେକ୍ଟର ଜଙ୍ଗଲ ଦାୟିତ୍ବ ନେଇଛି କାଉଁଶିତଇଳା ବନ ସୁରକ୍ଷା ସମିତି। ଅବଶିଷ୍ଟ ପ୍ରାୟ ୧୬୩ହେକ୍ଟର ଜମି ଏବେ ଜଙ୍ଗଲ ବିଭାଗ ଅଧୀନରେ ଅଛି।
ଏମ୍‌ସିଏଲ୍ ଦ୍ବାରା ବିସ୍ଥାପିତ ଜିଲିଣ୍ଡା ଏବଂ ଏକଡାଳ ଗାଁକୁ ଘର ଯୋଗାଇବା ପାଇଁ ଏମ୍‌ସିଏଲ୍ କୁଇଓ ସଂରକ୍ଷିତ ଜଙ୍ଗଲ ପାଖ ପତିତ ଜମିକୁ ଅଧିଗ୍ରହଣ କରିଛି। ସେଠାରେ କ୍ବାର୍ଟର ସବୁ ନିର୍ମାଣ ଆରମ୍ଭ କରିଛି। କ୍ବାର୍ଟର କରିବା ପୂର୍ବରୁ ଏମ୍‌ସିଏଲ୍ ପାଇଥିବା ଜମି ଚାରିପାଖେ ନିଜର ପାଚେରି ତିଆରି କରିଥିଲା। ଯାହା ଠିକ୍‌ ବୋଲି କାଉଁଶିତଇଳା ବନ ସୁରକ୍ଷା ସମିତିର ସଭାପତି ସଂଗ୍ରାମ ଦେହୁରୀ ‘ସମ୍ବାଦ’କୁ କହିଛନ୍ତି। କିନ୍ତୁ, ଗୋଟିଏ ପଟେ କ୍ବାର୍ଟର ତିଆରି ଚାଲିଥିବା ବେଳେ ଗତ କିଛି ଦିନ ତଳେ ଏମ୍‌ସିଏଲ୍ ତା’ ପାଚେରି ଡେଇଁ କୁଇଓ ସଂରକ୍ଷିତ ଜଙ୍ଗଲ ଭିତରକୁ ପଶିଥିଲା। କାହାକୁ କିଛି ନ ଜଣାଇ ଶାଳ ଗଛ କାଟି ସେଠାରେ ଦୁଇଟି ଭିତ୍ତିଭୂମି ତିଆରି କରିଛି। ଗୋଟିଏରେ ଶବ ସଂସ୍କାର ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟଟିରେ ରହିବା ଘର ତିଆରି କରାଯାଇଛି ବୋଲି ଶ୍ରୀ ଦେହୁରୀ ‘ସମ୍ବାଦ’କୁ କହିଛନ୍ତି। ଯେଉଁଠାରେ ଏମ୍‌ସିଏଲ୍ ଏ ଦୁଇଟି ଭିତ୍ତିଭୂମି ତିଆରି କରିଛି ସେ ଅଞ୍ଚଳକୁ ଗାଁ ଲୋକେ ଜଗାରଖା କରି ଆସୁଛନ୍ତି। କୌଣସି ବନ ସୁରକ୍ଷା ସମିତିଙ୍କୁ ନଜଣାଇ ଏମ୍‌ସିଏଲ୍ ସେଠି କେମିତି ମଶାଣି ତିଆରି କଲା? ସଂରକ୍ଷିତ ଜଙ୍ଗଲ ଭିତରକୁ ଟାଙ୍ଗିଆଟିଏ ଭର୍ତ୍ତି ହେବା ନିଷେଧ ଥିବା ବେଳେ କାହା ଅନୁମତିରେ ସେଠାରେ ଗଛ କଟାଗଲା ବୋଲି ସମିତି ସଭାପତି ଶ୍ରୀ ଦେହୁରୀ ପ୍ରଶ୍ନ କରିଛନ୍ତି।
ସମାନ ପ୍ରଶ୍ନ କରିଛନ୍ତି କୁଇଓ ବନ ସୁରକ୍ଷା ସମିତି ସଭାପତି ଦାଶରଥୀ ସେଠ। ସେ କହିଛନ୍ତି, ଖାତା ନମ୍ବର ୫୦ ଏବଂ ପ୍ଲଟ୍ ନମ୍ବର ୩୪ର ଇଏ ହେଉଛି ଜମି। ଆମେ ଶୁଣିବାକୁ ପାଇଲୁ ଯେ, ତହସିଲ୍ କର୍ତୃପକ୍ଷ ଏକାଏକା ଆସି ଜମିର ଡିମାର୍କେସନ୍‌ କଲେ। ମଶାଣି କରିବାକୁ ଅନୁମତି ଦେଇଛନ୍ତି। ଜାଗା ଡିମାର୍କେସନ୍‌ ସମୟରେ ଆମକୁ କିଛି ସୂଚନା ଦିଆଗଲା ନାହିଁ। ଏ ବେଆଇନ୍‌ କାମକୁ ଆମେ ବିରୋଧ କଲୁ। ଏମିତିକି, ଫରେଷ୍ଟର ଏବଂ ରେଞ୍ଜରଙ୍କୁ ବି ଅବଗତ କରାଇଲୁ। ବନ ବିଭାଗ ବି ଏଥିପ୍ରତି ଧ୍ୟାନ ଦେଲା ନାହିଁ ବୋଲି ବନ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ ହୋଇଛି। ଏ ଜମି ହେଉଛି ଗାଁର। ସେଠାରୁ ଗଛ କାଟି ମଶାଣି କରିବାର ହକ୍‌ କାହାର ନାହିଁ। ଜଙ୍ଗଲର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସାମ୍ନାରେ ସେ ଜମିର ଜିପିଏସ୍‌ ରିଡିଂ କରି ମାପଚୁପ କରିବାକୁ ଶ୍ରୀ ସେଠ ଦାବି କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଫରେଷ୍ଟର ଉଚ୍ଛବ ଚନ୍ଦ୍ର ପ୍ରଧାନ ଏହି ଜମି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭୁକ୍ତ ନୁହେଁ ବୋଲି ଦାବି କରିଛନ୍ତି। ଜିପିଏସ୍‌ ରିଡିଂ କରାଇଥିଲୁ। କିନ୍ତୁ, ତାହା ସଂରକ୍ଷିତ ଜଙ୍ଗଲ ଅଧୀନରେ ଆସୁନଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଗୋଟିଏ ପଟେ ତହସିଲ୍ କର୍ତ୍ତୃପକ୍ଷ ପକ୍ଷ ଲୁଚିଛପି ଆସି ଜମିର ଡିମାର୍କେସନ୍‌ କରୁଥିବା ବେଳେ ଅନ୍ୟପଟେ ଜଙ୍ଗଲ ଜଗୁଥିବା ଗାଁ ଲୋକଙ୍କୁ ଏଥିରେ ସାମିଲ୍ ନ କରିବା ଘଟଣା ଏମ୍‌ସିଏଲ୍-ବନ ବିଭାଗ-ରାଜସ୍ବ ବିଭାଗର ମଧୁଚନ୍ଦ୍ରିକା ଥିବା ସନ୍ଦେହ କରାଯାଉଛି। ଜମିର ଜିପିଏସ୍‌ ରିଡିଂ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର